ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୫ମୃତ, ୩ ଗୁରୁତର
ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ପାଲମ ଅଂଚଳର ସାଧ ନଗରରେ ଏକ ଚାରି ମହଲା କୋଠାରେ ଅଗ୍ନିକାଣ୍ଡ ଘଟିବାଦ୍ୱାରା ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ମୃତୁ୍ୟ ଘଟିଛି ।
ସେହିପରି ଅନ୍ୟ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ହାସପାତାଳରେ ଭର୍ତି କରାଯାଇଛି । ରିପୋର୍ଟ ସୂତ୍ରରୁ ଜଣାପଡ଼ିଛି ଯେ କୋଠାରେ ଅଗ୍ନିକାଣ୍ଡ ଦ୍ୱାରା ଗୋଟିଏ ପରିବାରର ୯ଜଣ ସଦସ୍ୟ ଫସି ଯାଇଥିଲେ ।
ଘଟଣା ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ ବିଭାଗ, ଦିଲ୍ଲୀ ପୁଲିସ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଦୁର୍ଘଟଣାରେ ଆହତ ତିନି ଜଣଙ୍କୁ ପାଲମର ଦିବ୍ୟପ୍ରସ୍ଥ ହାସପାତାଳରେ ଭର୍ତି କରାଯାଇଛି । ସଂପ୍ରତି ସେମାନେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।
ମୂଳତଃ ଅଂଚଳଟି ସଂକୀର୍ଣ୍ଣ ଓ ଜନଗହିଳ ହେତୁ ନିଆଁ ଲିଭା ଗାଡ଼ି ଘଟଣାସ୍ଥଳକୁ ଯିବାରେ ସମୟ ଲାଗିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ଥିବା ସମୟରେ ଦମକଳ କର୍ମୀମାନେ ପହଂଚିଥିଲେ ।
ଅଗ୍ନିକାଣ୍ଡ କେଉଁ କାରଣରୁ ଘଟିଛି ସେ ସମ୍ପର୍କରେ ପୁଲିସ ସଠିକ୍ ଜାଣି ପାରି ନଥିଲେ ସୁଦ୍ଧା, ତଦନ୍ତ ଜାରି ରହିଛି ଓ ଶୀଘ୍ର ସମସ୍ତ କିଛି ଜଣାପଡ଼ିଯିବ ବୋଲି ପୁଲିସ କହିଛି । ପୁଲିସ ଓ ଦମକଳ କର୍ମୀ ପକ୍ଷରୁ ଊଦ୍ଧାର କାର୍ଯ୍ୟ ଜାରି ରହିଛି ।