ସ୍ୱତନ୍ତ୍ର ସଚିବଙ୍କୁ ଅଗ୍ନିକାଣ୍ଡ ସୁରକ୍ଷା ଦାୟିତ୍ୱ ଉନ୍ନୟନ
ରାଜ୍ୟ ସରକାରୀ ମେଡ଼ିକାଲ କଲେଜରେ ବିଭିନ୍ନ ସମୟରେ ଅଗ୍ନିକାଣ୍ଡମାନ ଘଟୁଛି । ଯାହାଦ୍ୱାରା ଅନେକେ ହତାହତ ହେଉଥିବାବେଳେ ବହୁ ସମୟରେ ସାଧାରଣ ରୋଗୀ ହଟହଟାର ସମ୍ମୁଖୀନ ହେଉଛନ୍ତି ।
ଗତ ସୋମବାର ପରେ ବୁଧବାର ଲାଗଲାଗ ଦୁଇଥର ଅଗ୍ନିକାଣ୍ଡ ଘଟିବାଦ୍ୱାରା ସାଧାରଣ ରୋଗୀ ଓ ସେମାନଙ୍କ ପରିବାର ଲୋକଙ୍କ ମନରେ ଛନକା ସୃଷ୍ଟି ହୋଇଛି । ତେଣୁ ଏହାକୁ ଯେପରି ପ୍ରତିକାରମୂଳକ ମୁକାବିଲା କରାଯାଇପାରେ, ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଥିବା ଦେଖାଯାଇଛି ।
ରାଜ୍ୟରେ ସରକାରୀ ମେଡ଼ିକାଲ କଲେଜ ଓ ଡାକ୍ତରଖାନାଗୁଡ଼ିକରେ ଅଗ୍ନିନିରାପତା ବ୍ୟବସ୍ଥା ବିଷୟ ସ୍ୱାସ୍ଥ୍ୟ ବିଭାଗର ଜଣେ ସ୍ୱତନ୍ତ୍ର ଶାସନ ସଚିବ ବୁଝିବେ । ସେହିପରି ଅଗ୍ନି ନିରାପତାକୁ ଦୃଷ୍ଟିରେ ରଖି ସରକାରୀ କୋଠା ନିର୍ମାଣ ସମୟରେ ବିଲ୍ଡିଂ ପ୍ଲାନ ଅନୁମୋଦନ କରାଯିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି ।
ମେଡ଼ିକାଲ କଲେଜ ଓ ଡାକ୍ତରଖାନାଗୁଡ଼ିକରେ ଅଗ୍ନିଶମ ପ୍ରସ୍ତୁତିକୁ ବ୍ୟାପକ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦେଶ ଦେଇଛନ୍ତି । କଟକ ଏସସିବି ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦେଶନାମା ଜାରି କରିଛନ୍ତି ।
ଲୋକସଭା ଭବନରେ ମଙ୍ଗଳବାର ଅନୁଷ୍ଠିତ ସମୀକ୍ଷା ବୈଠକରେ ନିୟମିତ ଭାବେ ଅଗ୍ନି ନିର୍ବାପନ ଉପକରଣଗୁଡ଼ିକୁ ଯାଂଚ କରିବା, ଅଗ୍ନି ନିର୍ବାପକ ବ୍ୟବସ୍ଥା ସମ୍ପର୍କରେ ଆବଶ୍ୟକ ସ୍ଥଳେ ତୃତୀୟ ପକ୍ଷ ଅଡିଟ୍ କରାଇବା ପାଇଁ କୁହାଯାଇଛି । ଜିଲାସ୍ତରରେ ଅଗ୍ନି ନିରାପତା ସମ୍ପର୍କିତ ଅଭ୍ୟାସକୁ ଅଧିକରୁ ଅଧିକ ଆୟୋଜନ କରିବାକୁ ଜିଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି ।
ବୈଠକରେ ମୁଖ୍ୟ ଶାସନ ସଚିବ କହିଲେ, ଶିଳ୍ପ, ଭିତିଭୂମି ଓ ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରକଳ୍ପକୁ ଆମେ ଯେପରି ଗୁରୁତ୍ୱ ଦେଉଛୁ, ସେଭଳି ଅଗ୍ନି ନିରାପତା ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଏଥିରେ ସଂପୃକ୍ତ ସମସ୍ତ ବିଭାଗ, ଅଗ୍ନିଶମ ସେବା ଓ ଜିଲାପାଳମାନେ ସର୍ବଦା ପ୍ରସ୍ତୁତିକୁ ଅଗ୍ରାଧିକାର ଦେବା ଆବଶ୍ୟକ ।
ବୈଠକରେ ରାଜ୍ୟ ଉନ୍ନୟନ ଆୟୁକ୍ତ ଦେଓ ରଞ୍ଜନ କୁମାର ସିଂ, ଅଗ୍ନିଶମ ସେବା ମହା ନିର୍ଦେଶକ ଡା. ସୁଧାଂଶୁ ଷଡ଼ଙ୍ଗୀ, ପୂର୍ତ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଗଣଶିକ୍ଷା ବିଭାଗ ଆଦିର ସଚିବ ଯୋଗ ଦେଇଥିବାବେଳେ ଜିଲାପାଳମାନେ ଦୃଶ୍ୟସଂଚାରୀ ମାଧ୍ୟମରେ ଯୋଡ଼ି ହୋଇଥିଲେ ।