ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ମାମଲା : ମଧ୍ୟସ୍ଥତା ରାୟକୁ ଭାରତର ପ୍ରତ୍ୟାଖ୍ୟାନ
ମେ ୧୫ରେ ବେଆଇନ ଭାବେ ଗଠିତ ‘କୋର୍ଟ ଅଫ ଆର୍ବିଟ୍ରେସନ (ସିଓଏ) ଦ୍ୱାରା ଜାରି କରାଯାଇଥିବା ରାୟକୁ ଭାରତ ଶନିବାର ପ୍ରତ୍ୟାଖ୍ୟାନ କରିଛି ଏବଂ କହିଛି ଯେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ନିଷ୍ପତି ଅପରିବର୍ତିତ ରହିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ବେଆଇନ ଭାବେ ଗଠିତ ସିଓଏର ସମସ୍ତ ପୂର୍ବ ଘୋଷଣାକୁ ଭାରତ ଦୃଢ଼ ଭାବେ ପ୍ରତ୍ୟାଖ୍ୟାନ କରିଛି ।
ଭାରତ କଦାପି ସିଓଏ ପ୍ରତିଷ୍ଠାକୁ ସ୍ୱୀକୃତି ଦେଇନାହିଁ ଏବଂ ଏହାଦ୍ୱାରା ଜାରି କରାଯାଇଥିବା ଯେକୌଣସି ପ୍ରକ୍ରିୟା, ଘୋଷଣା କିମ୍ବା ନିଷ୍ପତି ଅବୈଧ । ସିନ୍ଧୁଜଳ ଚୁକ୍ତିକୁ ସ୍ଥଗିତ ରଖିବା ପାଇଁ ଭାରତର ନିଷ୍ପତି ବଳବତର ରହିଛି । ଗତବର୍ଷ ଜୁନରେ ଏକ ବିବୃତିରେ ଭାରତ କହିଥିଲା ଯେ ଏହି ତଥାକଥିତ ମଧ୍ୟସ୍ଥତା ଅଦାଲତର ଅସ୍ତିତ୍ୱକୁ ସେ କେବେ ବି ସ୍ୱୀକୃତି ଦେଇନାହିଁ ଏବଂ ଏହି ମଧ୍ୟସ୍ଥତା ସିନ୍ଧୁ ଜଳ ଚୁକ୍ତିର ଗୁରୁତର ଉଲ୍ଲଂଘନ ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଏକ ସାର୍ବଭୌମ ରାଷ୍ଟ୍ର ଭାବେ ନିଜର ଅଧିକାର ବ୍ୟବହାର କରି ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିଲା । ଯେପର୍ଯ୍ୟନ୍ତ ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ କରିନାହିଁ, ସେ ପର୍ଯ୍ୟନ୍ତ ଚୁକ୍ତି ସ୍ଥଗିତ ରହିବ ଏବଂ ଚୁକ୍ତିନାମା ଅନୁଯାୟୀ ଭାରତ ଏାର କୌଣସି ଦାୟିତ୍ୱ ପାଳନ କରିବାକୁ ବାଧ୍ୟ ନୁହେଁ ।
ସାର୍ବଭୌମ୍ୟ ଭାବେ ନିଜର ଅଧିକାର ପ୍ରୟୋଗ କରିବାରେ ଭାରତର କାର୍ଯ୍ୟର ବୈଧତା ଯାଂଚ କରିବାର ଅଧିକାର କୌଣସି ଅଦାଲତର ନାହିଁ । ବେଆଇନ୍ ଭାବେ ଗଠିତ ଏହି ମଧ୍ୟସ୍ଥତା ସଂସ୍ଥାର କୌଣସି ଅସ୍ତିତ୍ୱ ନାହିଁ ବୋଲି ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ।