ଗଗନଯାନ ଅଭିଯାନରେ ଭାରତର ସଫଳତା
ଭାରତର ପ୍ରଥମ ମାନବବାହୀ ମହାକାଶ ଅଭିଯାନ ଗଗନଯାନ ଦିଗରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆଉ ଏକ ମାଇଲଖୁଂଟ ଅତି୍ରକମ କରିଛି ।
ଶୁକ୍ରବାର ସତୀଶ ଧୱନ ମହାକାଶ କେନ୍ଦ୍ରରେ ଅନୁଷ୍ଠିତ ଦ୍ୱିତୀୟ ସମନ୍ୱିତ ଏୟାର ଡ୍ରପ ଟେଷ୍ଟ (ଆଇଏଡିଟି-୦୨) ସଫଳତାପୂର୍ବକ ସମ୍ପନ୍ନ ହୋଇଥିବା ନେଇ ଇସ୍ରୋ କର୍ତୃପକ୍ଷ ନିଶ୍ଚିତ କରିଛନ୍ତି ।
ଆସନ୍ତାବର୍ଷ ହେବାକୁ ଥିବା ଐତିହାସିକ ମହାକାଶ ଯାତ୍ରା ପୂର୍ବରୁ ଏହି ପରୀକ୍ଷଣ ନଭୋଚାରୀଭ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିଛି ।
ଏହି ବିଶେଷ ପରୀକ୍ଷଣରେ ଏକ କୃତ୍ରିମ କ୍ରୁ ମଡ୍ୟୁଲକୁ ଅଧିକ ଉଚ୍ଚତାରୁ ବିମାନ ଯୋଗେ ଖସାଯାଇ ପାରାସୁଟ ପ୍ରଣାଳୀର କାର୍ଯ୍ୟଦକ୍ଷତା ଏବଂ ସମୁଦ୍ରରେ ସୁରକ୍ଷିତ ଅବତରଣ ପ୍ରକ୍ରିୟାର ସୂକ୍ଷ୍ମ ଅନୁଧ୍ୟାନ କରାଯାଇଥିଲା ।
ଏହି ସଫଳତା ଇସ୍ରୋର ବୈଷୟିକ ପାରଦର୍ଶିତାକୁ ପ୍ରମାଣିତ କରିବା ସହ ଜରୁରୀକାଳୀନ ସ୍ଥିତିରେ ମହାକାଶଚାରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଥିବା ବ୍ୟବସ୍ଥାକୁ ବୈଧ କରିଛି ।
ଇଞ୍ଜିନିୟରମାନେ ପାରାସୁଟ ଖୋଲିବା ପ୍ରକ୍ରିୟା, ଅବତରଣ ସମୟରେ ସ୍ଥିରତା ଏବଂ ନିର୍ଦ୍ଦାରିତ ସ୍ଥାନରେ ମଡ୍ୟୁଲର ଅବତରଣ କ୍ଷମତାକୁ ଗଭୀର ଭାବେ ପରୀକ୍ଷା କରିଛନ୍ତି ।
ଗଗନଯାନ ଅଭିଯାନ ମାଧ୍ୟମରେ ଗଗନନଟ ମାନଙ୍କୁ ପୃଥିବୀର ନିମ୍ନ କକ୍ଷପଥକୁ ପଠାଇ ଭାରତ ବିଶ୍ୱର ସେହି ସୀମିତ ଦେଶଙ୍କ ତାଲିକାରେ ସାମିଲ ହେବାକୁ ଯାଉଛି । ଯାହାଙ୍କ ପାଖରେ ନିଜସ୍ୱ ମାନବବାହୀ ମହାକାଶ ଯାନ ପ୍ରେରଣ କରିବାର କ୍ଷମତା ରହିଛି ।