୪୫ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା
ଏପ୍ରିଲ ଶେଷ ହେବାକୁ ବସିଥିବାବେଳେ କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ତାପମାତ୍ରା ବୃଦ୍ଧି ପାଇବାକୁ ଲାଗିଛି ।
ପୂର୍ବ ଓଡ଼ିଶାର ବହୁ ସ୍ଥାନରେ ମଙ୍ଗଳବାର ପାଗ କୋହଲା ଥିଲାବେଳେ ପଶ୍ଚିମ ଓଡ଼ିଶାରେ ତାତି ପ୍ରଖର ଥିଲା ।
ଜଣାପଡ଼ିଛି ଯେ ଝାରସୁଗୁଡ଼ାରେ ଆଜି ତାପମାତ୍ରା ୪୫ଡିଗ୍ରୀ ଅତିକ୍ରମ କରିଥିଲା ।
ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଝାରସୁଗୁଡ଼ାରେ ତାପମାତ୍ରା ୪୫.୩ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ୱରରେ ତାହା ମାତ୍ରା ୩୫.୪ଡି ଥିଲା । ତେବେ ରାଜ୍ୟର ୧୧ଟି ସହରରେ ମଙ୍ଗଳବାର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା ।
ସୂର୍ଯ୍ୟଙ୍କ ପ୍ରବଳ ଖରାରେ ସାଧାରଣ ଲୋକେ ଘରୁ ପଦାକୁ ବାହାରି ପାରି ନଥିଲେ । ଯାହାଦ୍ୱାରା ମଧ୍ୟାହ୍ନରେ ରାସ୍ତା ଝାରସୁଗୁଡ଼ା ରାସ୍ତା ଶୂନଶାନ ହୋଇଯାଇଥିଲା ।
ପାଣିପାଗ ବିଭାଗର ଅନୁମାନ ଏଭଳି ସ୍ଥିତି ଆଗକୁ ଆହୁରି କିଛି ଦିନ ଲାଗି ରହିପାରେ । ତେବେ କେବଳ ଓଡ଼ିଶା ନୁହେଁ ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିଛି ।
ଉତରପ୍ରଦେଶର ବାନ୍ଦାରେ ଆଜି ସର୍ବୋଚ୍ଚ ତାପମାତ୍ରା ୪୭.୬ଡିଗ୍ରୀ ଥିବାବେଳେ ରାଜସ୍ତାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରେ ଆଜି ୪୬ଡିଗ୍ରୀ ଓ ତାର ଆଖପାଖ ଥିବା କୁହାଯାଇଛି ।
ଯାହାଦ୍ୱାରା ଆଜି ପାଣିପାଗ ବିଭାଗ ପକ୍ଷରୁ ଦେଶର କିଛି ସ୍ଥାନକୁ ‘ହିଟ ୱେଭ’ ଜାରି କରାଯାଇଛି ।