ରତ୍ନବେଦୀକୁ ବାହୁଡ଼ିଲେ ତିନି ଠାକୁର
ମା’ ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ଶ୍ରୀମନ୍ଦିରରେ ପଶିଲେ
ନବ ଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ପରେ ବଡ଼ ଭାଇ ବଳଭଦ୍ର, ଭଉଣୀ ଯୋଗମାୟା ମା’ ସୁଭଦ୍ରା ସହିତ କାଳିଆ ଠାକୁର ମାଉସୀ ଘରୁ ଫେରିସାରିଛନ୍ତି । ବାହୁଡ଼ା ଏକାଦଶୀ ବା ହରିଶୟନ ଏକାଦଶୀ ଦିନ ଜଗତ କଲ୍ୟାଣ ପାଇଁ ମହାପ୍ରଭୁ ନିଜେ ରଥ ଉପରେ ଏକାଦଶୀ ଉପବାସ କରିଥିଲେ । ଉକ୍ତ ଦିନ ରଥ ଉପରେ ଅଧରପଣା ପ୍ରସ୍ତୁତ କରାଯାଇ ୩ ରଥ ଉପରେ ଢ଼ଳାଯାଇଥିଲା । ଏହି ଅଧରପଣା ଶ୍ରୀମନ୍ଦିର ମଧ୍ୟକୁ ଯାଇପାରୁନଥିବା ଅଶରୀରିମାନଙ୍କ ପାଇଁ ହୋଇଥାଏ ।
ରବିବାର ମହାପ୍ରଭୁଙ୍କ ସୁନାବେଶ ପରେ ସୋମବାର ନୀଳାଦ୍ରି ବିଜେ ଅନୁଷ୍ଠିତ ହୋଇଯାଇଛି । ଏହି ଦିନ ଗୁଣ୍ଡିଚା ମାଉସୀଙ୍କ ଘରୁ ପୋଡ଼ପିଠା ଖାଇ ମହାପ୍ରଭୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ । ହେଲେ ସାଙ୍ଗରେ ନେଇନଥିବାରୁ ମା’ ଲକ୍ଷ୍ମୀ ଠାକୁରାଣୀ ଅଭିମାନ କରିଛନ୍ତି । ଏଣୁ ଦେଢ଼ଶୂର ତଥା ବଡ଼ବାହୁ ବଳଭଦ୍ର ଓ ନଣନ୍ଦ ମା’ ସୁଭଦ୍ରାଙ୍କୁ ବାଟ ଛାଡ଼ି ଦେଇଥିଲେ ।
ତା’ପରେ ପଡ଼ିଲା କାଳିଆ ଠାକୁରଙ୍କ ପାଳି । ସାଙ୍ଗରେ ନେଇ ମାଉସୀ ମା’ଙ୍କ ଘରୁ ନେଇନଥିବାରୁ ମା’ ଲକ୍ଷ୍ମୀଙ୍କ ରୋଷ ସିଧାପଡ଼ିଥିଲା କାଳିଆ ସାଆନ୍ତଙ୍କ ଉପରେ । କାହିଁକି ନେଇକି ଯାଇନଥିଲେ ବୋଲି ମା’ ଲକ୍ଷ୍ମୀ ପଚାରିଥିଲେ । ଯେତେ ବୁଝାଇଲେ ବି ମା’ ମାନିନଥିଲେ । ତା’ପରେ ଆରମ୍ଭ ହୋଇଥିଲା ଜଗତର ନାଥ ଜଗନ୍ନାଥ ଓ ଧର୍ମପତ୍ନୀ ତଥା ଜଗତକୁ ଦାନା ଯୋଗାଉଥିବା ମା’ ଲକ୍ଷ୍ମଙ୍କ ମଧ୍ୟରେ ବଚସା ।
ଉଭୟ ପଟର ପାଳିଆ ସେବକ ଓ ସୁଆରିଆଙ୍କ ମଧ୍ୟରେ ତର୍କ ଆରମ୍ଭ ହୋଇଯାଇଥିଲା । ପରେ ବଡ଼ଠାକୁର ବଳଭଦ୍ରଙ୍କ ହସ୍ତକ୍ଷେପ ପରେ ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନଭଞ୍ଜନ ପାଇଁ କାଳିଆ ଠାକୁର ତାଙ୍କୁ ରସଗୋଲା ଦେଇଥିଲେ ।
ଏହିଥିରେ ମା’ ଲକ୍ଷ୍ମୀଙ୍କ ଅଭିମାନ ଟଳିଲା ଓ ସେ କାଳିଆ ସାଆନ୍ତଙ୍କୁ ଶ୍ରୀମନ୍ଦିର ମଧ୍ୟକୁ ଛାଡ଼ିଥିଲେ । ଏହାସହିତ ସମ୍ପନ୍ନ ହୋଇଥିଲା ବଡ଼ଠାକୁରଙ୍କ ନୀଳାଦ୍ରି ବିଜେ ।








