ମହାରାଷ୍ଟ୍ର : ୧୮୦ ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗରେ ଯୁବକ ଗିରଫ
ମହାରାଷ୍ଟ୍ର ଅମରାବତୀରେ ଜଣେ ୧୯ବର୍ଷୀୟ କିଶୋର ଆୟାନ ଅହମ୍ମଦ ତନବୀରକୁ ନାବାଳିକାଙ୍କୁ ଯୌନ ଶୋଷଣ କରାଯିବା ଅଭିଯୋଗରେ ଗିରଫ କରାଯାଇଛି ।
ଅଭିଯୋଗ ଅନୁସାରେ ସେ ୧୮୦ରୁ ଊର୍ଦ୍ଧ ନାବାଳିକାଙ୍କୁ ଯୌନ ଶୋଷଣ ଏବଂ ୩୫୦ରୁ ଅଧିକ ଅଶ୍ଲୀଳ ଭିଡ଼ିଓ ରେକର୍ଡିଂ କରିଥିବା ଜଣାପଡ଼ିଛି । ତନବୀର ପରଟୱାଡାର ବାସିନ୍ଦା ହୋଇଥିବାବେଳେ ଝିଅମାନଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କୁ ମୁମ୍ବାଇ ଓ ପୁନେ ନେଇ ସେଠାରେ ତାଙ୍କ ଅଜାଣତରେ ଅଶ୍ଲୀଳ ଭିଡ଼ିଓ ରେକର୍ଡ କରୁଥିଲା ।
ଝିଅମାନଙ୍କୁ ଭିଡ଼ିଓ ମାଧ୍ୟମରେ ବ୍ଲାକମେଲ କରାଯାଉଥିଲା । ଏପରିକି କେତେକ ଭିଡ଼ିଓ ଅନଲାଇନରେ ସେୟାର କରାଯାଉଥିଲା ।
ବିଜେପି ରାଜ୍ୟସଭା ସାଂସଦ ଅନୀଲ ବୋଣ୍ଡେ, ପୁଲିସ ଅଧିକ୍ଷକ (ଗ୍ରାମୀଣ) ବିଶାଳ ଆନନ୍ଦଙ୍କୁ ପ୍ରଦାନ କରିଥିବା ଏକ ସ୍ମାରକପତ୍ର ଅନୁଯାୟୀ ତନବୀର ହ୍ୱାଟସଆପ ଓ ସ୍ନାପଚାଟ ଗ୍ରୁପ ମାଧ୍ୟମରେ ନାବାଳିକମାନଙ୍କୁ ଯୋଜନାବଦ୍ଧ ଭାବେ ଟାର୍ଗେଟ କରୁଥିଲା ।
ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରି ଏହି ମାମଲାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ତନବୀର ପୂର୍ବରୁ ଏଆଇଏମ୍ଆଇଏମ୍ ନେତା ଭାବେ କାର୍ଯ୍ୟ କରୁଥିଲା ।
ଏହି ମାମଲା ସର୍ବସମ୍ମୁଖକୀ ଆସିବା ପରେ ତାର ଇନଷ୍ଟାଗ୍ରାମ ଆକାଉଂଟରୁ ଅନେକେ ଆପତିଜନକ ଭିଡ଼ିଓ ହଟେଇ ଦିଆଯାଇଛି । ପୁଲିସ ଏହି ମାମଲାରେ ତ୍ୱରିତ କାର୍ଯ୍ୟାନୁଷଠାନ ଭାବେ ତନବୀରକୁ ଗିରଫ କରି କୋର୍ଟରେ ହାଜର କରିଛି ।
ଆସନ୍ତା ଏପ୍ରିଲ ୨୧ତାରିଖ ପର୍ଯ୍ୟନ୍ତ ତାକୁ ପୁଲିସ ରିମାଣ୍ଡକୁ ପଠାଇ ଦିଆଯାଇଛି । ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଉଜେର ଖାନ ଇକବାଲ ଖାନକୁ ମଧ୍ୟ ପୁଲିସ ଗିରଫ କରିଥିବା ଜଣାପଡ଼ିଛି ।