ଭୋଟ ଦେଇ ‘ଭୋଟର ସ୍ଲିପ’ ସାଙ୍ଗରେ ରଖିବାକୁ କହିଲେ ମମତା
ଗତ ୨୩ତାରିଖରେ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି ।
ଆଗାମୀ ୨୯ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ।
ଶୁକ୍ରବାର ହାଓଡ଼ାର ଏକ ନିର୍ବାଚନୀ ସଭାରେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଭୋଟରଙ୍କୁ ପରାମର୍ଶ ଦେଇଛନ୍ତି ଯେ ଭୋଟ ଦେଇ ଭୋଟର ସ୍ଲିପ ସାଙ୍ଗରେ ରଖିବାକୁ ହେବ ।
କାରଣ ଯେଉଁଭାବେ ଅନ୍ୟାନ୍ୟ ରାଜ୍ୟରେ ଭୋଟ ଦୁର୍ନୀତି ହୋଇଛି, ତାହା ଏହି ରାଜ୍ୟରେ ଘଟିବା ମଧ୍ୟ କିଛି ଅସମ୍ଭବ ନୁହେଁ । କାରଣ ବିଜେପିକୁ ମୁଁ ବିଶ୍ୱାସ କରେ ନାହିଁ । ସୁଶ୍ରୀ ବାନାର୍ଜୀ ଆହୁରି କହିଛନ୍ତି ଯେ ପ୍ରଥମ ଦଫା ଭୋଟ ପ୍ରାୟ ୯୨% ହୋଇଛି, ଯାହାକି ରେକର୍ଡ । ଯାହାକି ଏସଆଇଆର ଅତ୍ୟାଚାରର ଫଳ ।
ସେ ବିଜେପିକୁ ତୀବ୍ର ସମାଲୋଚନା କରିବା ସହ କେନ୍ଦ୍ରୀୟ ଏଜେନ୍ସି ପକ୍ଷରୁ ଅଚାନକ ଚଢ଼ଉ ସମ୍ପର୍କରେ ମଧ୍ୟ ବିଭିନ୍ନ ମନ୍ତବ୍ୟ କରିଥିଲେ । ହାଓଡ଼ା ସଭାରୁ ସୁଶ୍ରୀ ବାନାର୍ଜୀ କହିଥିଲେ ଯେ ବିଜେପି ଏଭଳି ଏକ ଦଳ ଯାହାକୁ ବିଶ୍ୱାସ କରିହେବ ନାହିଁ । ଯେତେବେଳେ ଅନ୍ୟ କୌଣସି ଉପାୟ ନ ପାଇଥାଏ, ସେତେବେଳେ କେନ୍ଦ୍ରୀୟ ଏଜେନ୍ସିଦ୍ୱାରା ସାଧାରଣ ଲୋକଙ୍କୁ ହଇରାଣ କରିଥାଏ ।
ଶୁକ୍ରବାର ନରେନ୍ଦ୍ର ମୋଦୀଙ୍କ ଗଙ୍ଗା ଭ୍ରମଣ ବିଷୟ ନେଇ କଟାକ୍ଷ କରିଥିବାବେଳେ ଯମୁନା ପାଣି କାହିଁକି ଏତେଟା ଅପରିଷ୍କାର ରହିଛି ବୋଲି ପ୍ରଶ୍ନ କରିଥିଲେ । ସେ ଆହୁରି କହିଥିଲେ ଯେ ସଂପ୍ରତି ନୀତିଶ କୁମାର ମୁଖ୍ୟମନ୍ତ୍ରୀତ୍ୱ ପଦରୁ ଇସ୍ତଫା ଦେଇ ରାଜ୍ୟସଭା ସାଂସଦ ହୋଇଛନ୍ତି ।
ତାଙ୍କ ସ୍ଥାନରେ ବିଜେପି ନେତା ସମ୍ରାଟ ଚୌଧୁରୀ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି । ଭୋଟ ପୂର୍ବରୁ ନୀତିଶଙ୍କୁ ଗୁରୁତ୍ୱ ଦିଆଯାଇ ଭୋଟ ପରେ ତାଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ଏହା ହିଁ ବିଜେପିର ରାଜନୀତି ବୋଲି ସେ କହିଛନ୍ତି ।
ସେ ଆହୁରି ସମାଲୋଚନା କରି କହିଛନ୍ତି ଯେ ବିଜେପି ନେତାନେତ୍ରୀମାନେ ପଶ୍ଚିମବଙ୍ଗ ଆସି ରାଜ୍ୟବାସୀଙ୍କୁ ବିଭିନ୍ନ ଭାବେ ବିଭ୍ରାନ୍ତ କରୁଛନ୍ତି, ଯାହାକି ବିଶ୍ୱାସ କରିବା ଅନୁଚିତ ବୋଲି ସୁଶ୍ରୀ ବାନାର୍ଜୀ ପରାମର୍ଶ ଛଳରେ ରାଜ୍ୟବାସୀଙ୍କୁ ସୂଚାଇଛନ୍ତି ।