ପ୍ରାର୍ଥିପତ୍ର ଦାଖଲ କଲେ ମମତା
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଭବାନୀପୁର ନିର୍ବାଚନମଣ୍ଡିଳୀରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।
ଆଜି ତାଙ୍କ କାଳିଘାଟସ୍ଥିତ ବାସଭବନରୁ ଏକ ପଦଯାତ୍ରା କରି ପ୍ରାର୍ଥିପତ୍ର ଦାଖଲ ପାଇଁ ବାହାରିଥିଲେ । ଆଲିପୁର ସର୍ଭେ ବିଲ୍ଡିଂ ପର୍ଯ୍ୟନ୍ତ ପ୍ରାୟ ୮୦୦ମିଟର ବାଟ ଚାଲିଚାଲି ଯିବା ସମୟରେ ମମତା ଯୋଡ଼ହସ୍ତରେ ରାସ୍ତାର ଉଭୟ ପାର୍ଶରେ ଛିଡ଼ା ହୋଇଥିବା ତାଙ୍କ ଅନୁଗାମୀ ଓ ଦଳୀୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ପଦଯାତ୍ରା ସମୟରେ ଟିଏମସି ସମର୍ଥକମାନେ ମମତା ବାନାର୍ଜୀ ଜିନ୍ଦାବାଦ, ଟିଏମସି ଜିନ୍ଦାବାଦ ଆଦି ସ୍ଲୋଗାନ ଦେଉଥିଲେ । ପ୍ରାର୍ଥିପତ୍ର ଦାଖଲ ପରେ ସୁଶ୍ରୀ ବାନାର୍ଜୀ କହିଛନ୍ତି ଯେ ମୁଁ ଭବାନୀପୁରରେ ଜନ୍ମ ହୋଇଛି ଓ ଏଠାରେ ବଢ଼ିଛି । ମୋ ଜୀବନ, କାମ ଓ ମୋର ଗତିବିଧି ସବୁକିଛି ଏହି ଭବାନୀପୁରରେ ।
ମୁଁ ଭବାନୀପୁରବାସୀଙ୍କୁ ସାଲ୍ୟୁଟ ମାରୁଛି ଓ ଧନ୍ୟବାଦ ଜଣାଉଛି । କେବଳ ଭବାନୀପୁର ନୁହେଁ, ଟିଏମସି ରାଜ୍ୟର ସମସ୍ତ ଆସନରେ ବିଜୟକୁ ସୁନିଶ୍ଚିତ କରିବା ପାଇଁ ଲୋକମାନଙ୍କୁ ଅନୁରୋଧ କରୁଛି । ଚଳିତବର୍ଷ ଏକ ବଡ଼ ଜନାଦେଶ ସହ ଜିତିବୁ ବୋଲି ମମତା ଦୃଢ଼ୋକ୍ତିର ସହ କହିଛନ୍ତି ।
ସୂଚନାଯୋଗ୍ୟ ଯେ ମମତା ବାନାର୍ଜୀ ଚଳିତ ନିର୍ବାଚନରେ ତାଙ୍କ ରାଜନୈତିକ କ୍ୟାରିୟରର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସାମ୍ନା କରିବାକୁ ଯାଉଛନ୍ତି । ଭବାନୀପୁରରେ ଲଗାତର ୩ଥର ନିର୍ବାଚନ ଜିତିଥିବା ମମତାଙ୍କ ବିରୋଧରେ ଚଳିତ ଥର ବିଜେପିର ହେଭିୱେଟ ନେତା ଶୁଭେନ୍ଦୁ ଅଧିକାରୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି ।
ଯେଉଁ ଶୁଭେନ୍ଦୁ ଏକଦା ମମତାଙ୍କ ଜଣେ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଥିଲେ, ଚଳିତବର୍ଷ ସେ ମମତାଙ୍କ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବା ପରିଲକ୍ଷିତ ହୋଇଛି ।
ତେବେ ଆଗାମୀ ନିର୍ବାଚନରେ କେଉଁ ଦଳ କେତେ ସଂଖ୍ୟାରେ ଏହି ଆସନରେ ବିଜୟ ହେଉଛନ୍ତି ତାହା ଦେଖିବାକୁ ବାକି ରହିଛି ।