ବହି ତ୍ରୁଟି, ସିଏମଓରେ ବୈଠକ
ରାଜ୍ୟ ସରକାରଙ୍କ ପାଇଁ ଏବେ ବଡ଼ ଚିନ୍ତାର କାରଣ ହୋଇଛି ବହି ତ୍ରୁଟି ।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ସ୍କୁଲର ଛାତଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାର ସ୍ଥିର କରି ବହି ଛପାଇଥିଲେ । ହେଲେ ବହି ଛପା ହେବା ପରେ ଏହାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶତାଧିକ ତ୍ରୁଟି ପରିଲକ୍ଷିତ ହୋଇଛି ।
ଏପରିକି ଓଡ଼ିଶା ବିଧାନ ସଭା ପରିବର୍ତେ କର୍ଣ୍ଣାଟକ ବିଧାନ ସୌଧର ଚିତ୍ର ରହିଛି । ସେହିପରି ବଲିଉଡ ଚଳଚିତ୍ରର ଗୀତ ‘ମୁଙ୍ଗୁଡ଼ା,ମୁଙ୍ଗଡ଼ା’ ଗୀତ ମଧ୍ୟ ପ୍ରକାଶ ପାଇଛି । ଏହାକୁ ନେଇ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି ।
ଏହି ଘଟଣାକୁ ଗୁରୁତର ସହ ନେଇ ରାଜ୍ୟ ସରକାର ଏସସିଆରଟିର ପୂର୍ବତନ ନିର୍ଦେଶକ ତଥା ଏହି ପୁସ୍ତକ ଛପା ଦାୟିତ୍ୱରେ ଥିବା ମନୋଜ ପାଢ଼ୀଙ୍କୁ ନିଲମ୍ବନ ସହ ଗିରଫ କରିଛନ୍ତି । ତାଙ୍କ ସହ ଆଉ ୩ ଜଣ ସହ-ନିର୍ଦେଶକଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।
ଅନ୍ୟପଟେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅବହେଳା ଓ ଦାୟିତ୍ୱହୀନତା ପାଇଁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅନ୍ତୁ ବୋଲି ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଅଡ଼ି ବସିଛନ୍ତି ।
ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତରେ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି ।
ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସମେତ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ଉପସ୍ଥିତ ରହିଛନ୍ତି ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରସଙ୍ଗ ସହ ରେଭେନ୍ସାରେ ୱାର୍ଡେନ-ବିଧାୟକ ବିବାଦ ନେଇ ଆଲୋଚନା ହୋଇଛି ।








