ମୋଦୀଙ୍କ ଜନସମ୍ପର୍କ ପ୍ରହସନ : ମମତା
ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆଉ ମାତ୍ର କିଛି ଘଂଟା ବାକି । ଏଭଳି ସମୟରେ ମୋଦୀଙ୍କ ପ୍ରତି ମମତା ବାନାର୍ଜୀଙ୍କ ଆକ୍ରମଣ ବିଷୟ ରାଜନୈତିକ ମହଲରେ ଚହଳ ସୃଷ୍ଟି କରିଛି । ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଗ୍ରାମର ଏକ ନିର୍ବାଚନ ସଭା ସାରି ଫେରୁଥିବାବେଳେ ରାସ୍ତା କଡ଼ ଏକ ମସଲାମୁଢ଼ି (ଝାଲମୁଢ଼ି) ଦୋକାନରେ ଅଟକି ଝାଲମୁଢ଼ି ଖାଇଥିଲେ । ଯାହାକୁ ନେଇ ରାଜ୍ୟ ଶାସକ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ମତ କଷାକଷି ଆରମ୍ଭ ହୋଇଛି । ମୋଦୀଙ୍କ ଏହି ଝାଲମୁଢ଼ି ଖାଇବା ପ୍ରସଙ୍ଗକୁ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ତୀବ୍ର ନିନ୍ଦା କରିବା ସହ ରାଜ୍ୟ ଭୋଟରଙ୍କୁ ପ୍ରଭାବିତ କରିବା କ୍ଷେତ୍ରରେ ଏକ ପ୍ରହସନ ବୋଲି କହିଛନ୍ତି ।
ସେ କହିଥିଲେ ଯେ ଭୋଟ ପାଇଁ ରାଜ୍ୟ ଭୋଟରଙ୍କୁ ପ୍ରଭାବିତ କରିବାର ଚେଷ୍ଟା କରୁଛନ୍ତି, ଯାହାକି ସମ୍ପୂର୍ଣ୍ଣ ବ୍ୟତିକ୍ରମ । ଏହା ତାଙ୍କର ଏକ ସୁଚିନ୍ତିତ ‘କ୍ରେଡିବିଲିଟି ଷ୍ଟଂଟ’ ବା ଜନସମ୍ପର୍କର ଏକ ପୂର୍ବ ପ୍ରସ୍ତୁତ ନାଟକ ବୋଲି କହିଛନ୍ତି ।
ମଙ୍ଗଳବାର ବୀରଭୂମର ମୁରାରାଇପୁରଠାରେ ଆୟୋଜିତ ଏକ ଜନସଭାରେ ମମତା ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରକାଶ କରି କହିଛନ୍ତି ଯେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ କୌଣସି ନିର୍ଦାରିତ କାର୍ଯ୍ୟକ୍ରମ ନଥାଏ, ସେତେବେଳେ ସେଠାରେ ହାଇ-ଡେଭିନେସନ କ୍ୟାମେରା ଏବଂ ସୋସିଆଲ୍ ମିଡ଼ିଆ ଟିମ କିପରି ଉପସ୍ଥିତ ଥିଲେ, ତାହା ବିଜେପିର ସାଂଗଠନିକ ପ୍ରପାଗାଣ୍ଡାକୁ ସ୍ପଷ୍ଟ କରୁଛି ।
ପ୍ରଧାନମନ୍ତ୍ରୀଙ୍କ ଏହି ଅଚାନକ ରୋଡ଼ ସାଇଡ ଷ୍ଟପ ସମୟରେ ସେ ଜଣେ ସାଧାରଣ ନାଗରିକଙ୍କ ପରି ଦୋକାନୀ ବିକ୍ରମ ଶାହଙ୍କ ସହ ହସଖୁସିରେ କଥା ହେବା ଏବଂ ପକେଟରୁ ୧୦ଟଙ୍କା ବାହାର କରି ପଇଠ କରିବା ଘଟଣାକୁ ମମତା ଏକ ସ୍କ୍ରିପ୍ଟେଡ ଡ୍ରାମା ବୋଲି ଅଭିହିତ କରିଛନ୍ତି ।
ବିଶେଷ କରି ଦୋକାନୀ ସହ କଥାବାର୍ତା ସମୟରେ ଯେତେବେଳେ ବିକ୍ରମ ପ୍ରଧାନମନ୍ତ୍ରୀଙ୍କୁ ପିଆଜ ଖାଇବା ବିଷୟରେ ପଚାରିଥିଲେ, ସେତେବେଳେ
ମୋଦୀ କହିଥିଲେ ଯେ ମୁଁ ସବୁକିଛି ଖାଏ, କିନ୍ତୁ କାହାର ମସ୍ତିଷ୍କ ଖାଏ ନାହିଁ । ମୋଦୀଙ୍କ ଏହି ପରୋକ୍ଷ କଟାକ୍ଷକୁ ନେଇ ମମତା ଅସନ୍ତୋଷ ବ୍ୟକ୍ତି କରିବା ସହ ସମ୍ପୂର୍ଣ୍ଣ ଏକ ନାଟକ ବୋଲି କହିଥିଲେ ।