ଆଜି ନବଯୌବନ ଦର୍ଶନ
ଦେବସ୍ନାନ ପୂର୍ଣ୍ଣିମା ଦିନ ୧୦୮ ଗରା ସୁବାସିତ ଜଳରେ ଗାଧୋଇ ଶ୍ରୀଜୀଉମାନଙ୍କୁ ଜ୍ୱର ହୋଇଯାଇଥିଲା ।
ସେଥିପାଇଁ ସେମାନେ ପ୍ରାୟ ୧୫ ଦିନ ହେବ ଅଣସର ଘରେ ରହିଥିଲେ ।
ଏହି ସମୟରେ ଦଇତାପତିମାନେ ଶ୍ରୀଜୀଉଙ୍କ ଉପଚାର କରିଥିଲେ ।
ଏଥିପାଇଁ ଜଗାକାଳିଆ ସାଆନ୍ତଙ୍କ ମାମୁ ଘର ନୀଳମାଧବ ପୀଠରୁ ଅଣସର ଭାର ଆସିଥିଲା ।
ଏକାଦଶୀ ପୂର୍ବ ଦିନ ଭାରୁଆମାନେ ଏହି ଭାରକୁ ଶ୍ରୀମନ୍ଦିରରେ ପହଂଚାଇଥିଲେ ।
ଏଥିରେ ବିଭିନ୍ନ ପ୍ରକାରର ଫଳମୂଳ, ଚେର, ଦଅଁଣା, କଳା ତୁଳସୀ ଆଦି ଥିଲା ।
ଦ୍ୱାଦଶୀଦିନ ଶ୍ରୀଜୀଉ ଏହାକୁ ଖାଇ ଓ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଦ୍ୱାଦଶମୂଳକ ମୋଦକ ଖାଇ ସୁସ୍ଥ ହୋଇଥିଲେ ।
ଆଜି ତ୍ରୟୋଦଶୀ ତଥା ନେତ୍ର ଉତ୍ସବରେ ଶ୍ରୀଜୀଉମାନେ ନବଯୌବନ ଦର୍ଶନ ଦେଇଛନ୍ତି ।
ଏହି ଅପୂର୍ବ ନବଯୌବନ ବେଶ ଦେଖିବା ପାଇଁ ପୁରୀଶ୍ରୀମନ୍ଦିରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅସଂଖ୍ୟ ଭକ୍ତଙ୍କ ଆଗମନ ହୋଇଛି ।
ଭକ୍ତଙ୍କ ଭିଡ଼କୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବାରିକେଡ ବ୍ୟବସ୍ଥା କରାଯାଇଛି ।