ନିଟ ଫି’ ଫେରସ୍ତ ଟଙ୍କା ପ୍ରସଙ୍ଗ : ବ୍ୟାଙ୍କ ବିବରଣୀ ଦାଖଲ ତାରିଖ ଜୁନ ୨୨କୁ ବୃଦ୍ଧି କଲା ଏନଟିଏ
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ନିଟ-ୟୁଜି ୨୦୨୬ ପ୍ରାର୍ଥୀଙ୍କ ଫି ଫେରସ୍ତ ପାଇଁ ସେମାନଙ୍କର ବ୍ୟାଙ୍କ ଆକାଉଂଟ ବିବରଣୀ ଦାଖଲ କରିବାର ଅବଧି ଜୁନ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି ।
ଜୁନ ୨୧ରେ ନିଟ-ୟୁଜି ୨୦୨୬ର ପୁନଃ ପରୀକ୍ଷା ଘୋଷଣା କରିବାବେଳେ ଏନଟିଏ କହିଥିଲା ଯେ ନୂତନ ପରୀକ୍ଷା ପାଇଁ ପ୍ରାର୍ଥୀଙ୍କଠାରୁ କୌଣସି ପରୀକ୍ଷା ଶୁଳ୍କ ଆଦାୟ କରାଯିବ ନାହିଁ । ଏନଟିଏ ଏହା ମଧ୍ୟ କହିଥିଲା ଯେ ପ୍ରଥମ ପରୀକ୍ଷା ପାଇଁ ଛାତ୍ରମାନଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ଫି ଫେରସ୍ତ କରାଯିବ ।
ଏନଟିଏ ମେ ୨୨ରୁ ମେ ୨୬ତାରିଖ ପର୍ଯ୍ୟନ୍ତ ଫି ଫେରସ୍ତ ପାଇଁ ନିଜର ବ୍ୟାଙ୍କ ଆକାଉଂଟ ବିବରଣୀ ଦାଖଲ କରିବା ଲାଗି ନିଟ-ୟୁଜି ୨୦୨୬ ପଞ୍ଜିକରଣ ପୋର୍ଟାଲରେ ଏକ ସୁବିଧା ପ୍ରଦାନ କରିଥିଲା । ବୁଧବାର ଏକ୍ସରେ ସେୟାର କରାଯାଇଥିବା ଏକ ବିଜ୍ଞପ୍ତିରେ ଏନଟିଏ କହିଛି ଯେ ଏପର୍ଯ୍ୟନ୍ତ ପ୍ରାୟ ୧୩ଲକ୍ଷ ପ୍ରାର୍ଥୀ ସେମାନଙ୍କ ବ୍ୟାଙ୍କ ଆକାଉଂଟ ବିବରଣୀ ଅପଡେଟ କରିଛନ୍ତି ।
ଏଜେନ୍ସି କହିଛି ଯେ ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ସେମାନଙ୍କର ବିବରଣୀ ଦାଖଲ କରିନାହାନ୍ତି, ସେମାନଙ୍କୁ ସୁବିଧା ଦେବା ପାଇଁ ଏହି ସମ୍ପ୍ରସାରଣ ପ୍ରଦାନ କରାଯାଇଛି ।
ଏନଟିଏଦ୍ବାରା ପରିଚାଳିତ ଏହି ପରୀକ୍ଷା ପାଇଁ ପ୍ରାୟ ୨୩ଲକ୍ଷ ପ୍ରାର୍ଥୀ ପଞ୍ଜୀକରଣ କରିଥିଲେ ।