କଠୋର ବ୍ୟବସ୍ଥାରେ ନିଟ-ୟୁଜି ପ୍ରଶ୍ନ ପ୍ରସ୍ତୁତକାରୀ
ନିଟ-ୟୁଜି ୨୦୨୬ର ପୁନଃ ପରୀକ୍ଷା ଆସନ୍ତା ୨୧ ତାରିଖରେ ହେବାକୁ ଯାଉଛି ।
ମେ ମାସରେ ହୋଇଥିବା ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ ହେବା କାରଣରୁ ଏହାକୁ ପୁନର୍ବାର କରାଯାଉଛି । ପୁନଃ ପରୀକ୍ଷାର ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ଲାଗି ନ୍ୟାସନାଲ ଟେଷ୍ଟି ଏଜେନ୍ସି (ଏନଟିଏ) ଅନେକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଏହି କ୍ରମରେ ପରୀକ୍ଷା ଲାଗି ପ୍ରଶ୍ନପତ୍ର ତିଆରି କରିଥିବା ବିଭିନ୍ନ ବିଷୟ ବିଶେଷଜ୍ଞ, ଶିକ୍ଷକ, ଅନୁବାଦକ ଓ ଅନ୍ୟ କର୍ମଚାରୀଙ୍କୁ ସଙ୍ଗରୋଧ (ଆଇସୋଲେସନ)ରେ ରଖାଯାଇଛି । ଏହି କର୍ମଚାରୀମାନଙ୍କୁ ପରିବାର ଓ ଅନ୍ୟ କାହା ସହିତ ମିଶିବାକୁ ସୁଯୋଗ ଦିଆଯାଉ ନାହିଁ । ଏପରି କି ସେମାନଙ୍କୁ ମୋବାଇଲ, ଇଂଟରନେଟ ଓ ଅନ୍ୟ ଯୋଗାଯୋଗ ଉପକରଣ ସବୁ ବାରଣ କରାଯାଇଛି ।
କର୍ମଚାରୀମାନେ ରହୁଥିବା ଘରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜୁନ ୨୧ ତାରିଖ ଅର୍ଥାତ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଏପରି ଆଇସୋଲେସନ ବା ଲକଡାଉନ କରି ରଖାଯିବ ।
ଅନ୍ୟପଟେ ପ୍ରଶ୍ନପତ୍ରକୁ ପରିବହନ ପାଇଁ ବାୟୁସେନାର ହେଲିକପ୍ଟର ମୁତୟନ କରାଯାଇଛି । ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ପାଇଁ ଦେଶବ୍ୟାପୀ ୫ଲକ୍ଷ ସୁରକ୍ଷାକର୍ମୀ ମୁତୟନ କରାଯିବାର ବ୍ୟବସ୍ଥା ହୋଇଛି ।