ଢେଙ୍କାନାଳ, ଜଗତସିଂହପୁର ଓ ଭଦ୍ରକରେ ହେବ ମେଡ଼ିକାଲ କଲେଜ
ଉନ୍ନତ ଚିକିତ୍ସା ସେବା ପାଇଁ ମୟୁରଭଞ୍ଜବାସୀଙ୍କୁ ଦୂର ସହରକୁ ଦୌଡ଼ିବାକୁ ପଡ଼ୁଥିଲା, ଯାହାକି ଏବେ ଘର ନିକଟରେ ଉପଲବ୍ଧ ହେବ ।
ରୋଗୀଙ୍କ ପରିବାରର ଆର୍ଥିକ ଓ ଶାରୀରିକ କଷ୍ଟ ଦୂର ହେବ । ୨୫୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ (ପିଆରଏମ) ମେଡ଼କାଲ କଲେଜ ଆଣ୍ଡ ହସ୍ପିଟାଲର ଅତ୍ୟାଧୁନିକ କୋଠାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୂତନ ସରକାରର ମାତ୍ର ୨୦ମାସ ମଧ୍ୟରେ ଯାଜପୁର, କନ୍ଧମାଳ ଓ ତାଳଚେରରେ ୩ଟି ନୂଆ ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ହୋଇଛି ।
ଗତ ଫେବୃଆରୀରେ ନବରଙ୍ଗପୁରରେ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ଶୁଭ ଦିଆଯାଇଛି । ଖୁବଶୀଘ୍ର ଢେଙ୍କାନାଳ, ଜଗତସିଂହପୁର ଓ ଭଦ୍ରକରେ ମଧ୍ୟ ମେଡ଼ିକାଲ କଲେଜ ସ୍ଥାପନ କରାଯିବ । ସେହିପରି ଗଜପତି, ମାଲକାନଗିରି, ରାୟଗଡ଼ାରେ ୩ଟି ନୂଆ ଆୟୁର୍ବେଦିକ ମେଡ଼କାଲ କଲେଜ ସହିତ ନୟାଗଡ଼ ଓ ନୂଆପଡ଼ାରେ ୨ଟି ହୋମିଓପାଥିକ ମେଡ଼ିକାଲ କଲେଜ ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି ।
ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ମୟୁରଭଞ୍ଜ ଜିଲାର କମ୍ୟୁନିଟି ହେଲଥ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା, ଜନସ୍ୱାସ୍ଥ୍ୟ ଗବେଷଣା ଏବଂ ଜନଜାତି ବର୍ଗଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଏହି ମେଡିକାଲ କଲେଜ ପ୍ରମୁଖ ଭୂମିକା ଗ୍ରହଣ କରିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୪୩୦.୬୨କୋଟିରୁ ଅଧିକ ଟଙ୍କାର ୩୯ଟି ପ୍ରକଳ୍ପର ଶୁଭାରମ୍ଭ ଓ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିରେ ୨୧ଟି ପ୍ରକଳ୍ପର ଭିତିପ୍ରସ୍ତର ଏବଂ ୧୮ଟି ପ୍ରକଳ୍ପ ଉଦ୍ଘାଟିତ ହୋଇଛି । ଜିଲାର ପାନୀୟ ଜଳ ସମସ୍ୟା ଦୂର ପାଇଁ ପ୍ରାୟ ୧୦୦କୋଟି ଟଙ୍କାର ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ ।
ମନ୍ତ୍ରୀ ଗଣେଶରାମ ସିଂ ଖୁଂଟିଆ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ନିରନ୍ତର ସହଯୋଗ ଯୋଗୁଁ ମୟୁରଭଞ୍ଜ ବିକାଶର ଏକ ନୂଆ ଶିଖରରେ ପହଂଚିପାରିଛି । ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି ହସ୍ପିଟାଲ ଆଗାମୀ ଦିନରେ ସମଗ୍ର ଉତର ଓଡ଼ିଶାର ସ୍ୱାସ୍ଥ୍ୟ ମାନଚିତ୍ର ବଦଳାଇ ଦେବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ, ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢ଼େଇ, ସାରସକଣା ବିଧାୟକ ଭାଦକ ହାଁସଦା, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
ମୟୁରଭଞ୍ଜ ଜିଲାପାଳ ହେମକାନ୍ତ ସୟ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଧାୟକ ପ୍ରକାଶ ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ ।