ଅବକାରୀ ବିଭାଗର ନୂଆ ଗାଇଡ଼ଲାଇନ
ଏଥର ଟେଟ୍ରା ପ୍ୟାକ୍ରେ ମଦ ମିଳିବ, ଯାହା ପାଇଁ ଅବକାରୀ ବିଭାଗ ନୂଆ ଗାଇଡ଼ଲାଇନ ଆଣିଛି । ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର ।
୧୮୦ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକ୍ରେ ଉପଲବ୍ଧ ହେବ । ନୂଆ ଗାଇଡଲାଇନ ଅନୁସାରେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ । ହେଲେ ରାଜ୍ୟର ଅନ୍ୟାନ୍ୟ ବେଳାଭୂମିରେ ଓଟିଡିସିକୁ ବିକ୍ରି ପାଇଁ ଅନୁମତି ଦିଆଯାଇଛି ।
ବିଭିନ୍ନ ଇକୋ ରିଟ୍ରିଟରେ ମଧ୍ୟ ମଦ କୁଡ଼ିଆ ଖୋଲାଯାଇ ମଦ ବିକ୍ରି ହେବ । କିଛିଦିନ ତଳେ ସରକାର ନୂଆ ଅବକାରୀ ନୀତି ୨୦୨୬-୨୯ ଆଣିଥିଲେ । ୨୦୨୬ ମସିହା ଏପ୍ରିଲ ୧ ତାରିଖରୁ ୨୦୨୯ ମସିହା ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ଅବଧି ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରାଯାଇଥିଲା ।
ଏହି ନୀତି ଅଧିନରେ ଏକ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ହେଉଛି ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ ସେସ ପ୍ରବର୍ତନ । ନୂଆ ଅବକାରୀ ନୀତିରେ ମଦକୁ କ୍ଷତିକାରକ ପଦାର୍ଥ ଭାବେ ସ୍ୱୀକାର କରାଯାଇଛି । ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦% ବୃଦ୍ଧି ହେବ ।
ଲାଇସେନ୍ସ ଶୁଳ୍କ ପ୍ରତିବର୍ଷ ୧୦ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ । ବିଦେଶୀ ଓ ଦେଶୀ ମଦ ଉପରେ ଅବକାରୀ ଶୁଳ୍କ ବୃଦ୍ଧି ହୋଇଛି । ଗ୍ରାମାଂଚଳରେ ନୂଆ ମଦ ଦୋକାନ ଖୋଲିବାକୁ ମଧ୍ୟ ଅନୁମତି ମିଳିବନି ।
ଶ୍ରୀମନ୍ଦିର ଓ ବଡଦାଣ୍ଡ ନିକଟରେ କୌଣସି ଅବକାରୀ ଦୋକାନ ଚାଲୁ ହେବନି ବୋଲି ସରକାର କହିଥିଲେ । ସମସ୍ତ ଉତ୍ପାଦନ ୟୁନିଟ ଓ ଖୁଚୁରା ଦୋକାନ ସିସିଟିଭି ନିରୀକ୍ଷଣରେ ରହିବ ।