ସ୍ଥଳଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ : ଅମୀର ହାତାମୀ
ଆମେରିକା ବିରୋଧରେ ସ୍ଥଳଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଇରାନ ସେନାମୁଖ୍ୟ ଜେନେରାଲ ଅମୀର ହାତାମୀ ନିଜର କମାଣ୍ଡରମାନଙ୍କୁ ନିର୍ଦେଶ ଦେଇଛନ୍ତି ।
ବିଶେଷ କରି ଶତ୍ରୁପକ୍ଷ (ଆମେରିକା ଓ ଇସ୍ରାଏଲ) ଯଦି ସ୍ଥଳଭାଗରେ ଆକ୍ରମଣ କରେ, ତେବେ ତାର କଡ଼ା ଜବାବ ଦେବାକୁ ସେ କହିଛନ୍ତି ।
ଏପରିକି ଆମେରିକା ଯଦି ସ୍ଥଳଯୁଦ୍ଧ ଆରମ୍ଭ କରେ, ତେବେ ଏହାର ଜଣେ ହେଲେ ସୈନିକ ଯେପରି ଜୀବିତ ନ ରୁହନ୍ତି ସେଥିପାଇଁ କଡ଼ା ପଦକ୍ଷେପ ନେବାକୁ ହାତାମୀ ନିର୍ଦେଶ ଦେଇଛନ୍ତି ।
ସେ ସେନାକୁ ଶତ୍ରୁର ପ୍ରତିଟି ଗତିବିଧି ଉପରେ ଅତି ସନେ୍ଦହ ଓ ସଠିକତାର ସହ ନଜର ରଖିବାକୁ କହିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଯୁଦ୍ଧ ଶୀଘ୍ର ଶେଷ ହେବ ବୋଲି କହୁଥିବାବେଳେ ଅନ୍ୟପଟେ ଉପସାଗରୀୟ ଅଂଚଳରେ ଅଧିକ ଆମେରିକୀୟ ସୈନ୍ୟ ମୁତୟନ କରାଯାଉଛି ।
ଏହାକୁ ଇରାନ ଏକ ସମ୍ଭାବ୍ୟ ସ୍ଥଳ ଆକ୍ରମଣର ପ୍ରସ୍ତୁତି ବୋଲି ମନେ କରୁଛି । ପୂର୍ବତନ ସେନା ମୁଖ୍ୟ ଅବଦୁଲ ରହିମ ମୁସାଭିଙ୍କ ମୃତ୍ୟୁ ପରେ ଅମୀର ହାତାମୀ ଏବେ ସେନାର ନେତୃତ୍ୱ ନେଉଛନ୍ତି ।
ଆମେରିକାର ଅପରେସନ ଏପିକ ଫ୍ୟୁରୀ ଯୋଗୁଁ ସମଗ୍ର ପଶ୍ଚିମ ଏସିଆରେ ଉତେଜନା ଚରମ ସୀମାରେ ପହଂଚିଛି । ଇରାନ ନିଜର ସୁରକ୍ଷା ପାଇଁ ଆକ୍ରମଣାତ୍ମକ ଓ ପ୍ରତିରକ୍ଷାତ୍ମକ ରଣନୀତି ପ୍ରସ୍ତୁତ ରଖିଛି ।
ଅନ୍ୟପଟେ ଇରାନ ପାର୍ଲାମେଂଟର ବାଚସ୍ପତି ମହମ୍ମଦ ବାକର ଘାଲିବାଫ କହିଛନ୍ତି ଯେ ଆମେରିକାର ସମ୍ଭାବ୍ୟ ସ୍ଥଳ ଆକ୍ରମଣର ମୁକାବିଲା ପାଇଁ ପ୍ରାୟ ୭୦ଲକ୍ଷ ଇରାନ ନାଗରିକ ଅସ୍ତ୍ର ଧରିବାକୁ ପ୍ରସ୍ତୁତ ଅଛନ୍ତି ।