ମହିଳା କୋଟା ଆସନ ବୃଦ୍ଧି ନେଇ ବିଲ ଆଣିପାରନ୍ତି ସରକାର
କେନ୍ଦ୍ର ସରକାର ଆସନ୍ତା ଏପ୍ରିଲ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକି ପାରନ୍ତି । ଲୋକସଭାରେ ଆସନ ସଂଖ୍ୟା ୮୧୬କୁ ବୃଦ୍ଦି ପାଇଁ ଏବଂ ସେଥି ମଧ୍ୟରୁ ୨୭୩ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବାକୁ କେନ୍ଦ୍ର ସରକାର ଏହି ସ୍ୱତନ୍ତ୍ର ଅଧିବେଶନରେ ବିଲ ଆଣି ପାରନ୍ତି ।
ଉଲ୍ଲେଖଯୋଗ୍ୟ ଯେ ବଜେଟ ଅଧିବେଶନର ଆଜି ଶେଷ ଦିନ ଥିଲା । କିନ୍ତୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିକୁ ସ୍ପଷ୍ଟ କରିଛନ୍ତି ଯେ ବଜେଟ ଅଧିବେଶନ ପୂର୍ବ ନିର୍ଦ୍ଦାରିତ ସମୟ ଅନୁଯାୟୀ ଆଜି ଶେଷ ହୋଇନାହିଁ । ବରଂ ଏଥିରେ ବିରତି ନିଆଯାଉଛି ।
ଖୁବ୍ଶୀଘ୍ର ପୁଣି ଥରେ ବଜେଟ ଅଧିବେଶନ ଆରମ୍ଭ ହେବ । ଉଲ୍ଲେଖଯୋଗ୍ୟ ଯେ ଆଗକୁ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଛନ୍ତି ।
ଯଦିଓ ଗୃହମନ୍ତ୍ରୀ ଅମିତ ଶାହା କିଛି ଏନଡିଏ ସହଯୋଗୀ ଓ ଅଣ କଂଗ୍ରେସ ନେତାମାନଙ୍କ ସହ ଉକ୍ତ ପ୍ରସଙ୍ଗରେ ଗତ ସପ୍ତାହରେ ଆଲୋଚନା କରିଛନ୍ତି, କିନ୍ତୁ କଂଗ୍ରେସ ଏବଂ ଟିଏମ୍ସି ସହ ଏ ନେଇ କୌଣସି ଯୋଗାଯୋଗ କରାଯାଇ ନାହିଁ ।
ସରକାରଙ୍କର ଏହି ପ୍ରସ୍ତାବକୁ କଂଗ୍ରେସ ଦଳ ବିରୋଧ କରିଥିବା ଜଣାପଡ଼ିଛି । ବିରୋଧୀ ଦଳଗୁଡ଼ିକ ମଧ୍ୟ ଏ ପ୍ରସଙ୍ଗରେ ଏକ ସର୍ବଦଳୀୟ ବୈଠକ କରିବାକୁ ଦାବି କରିଛନ୍ତି ।
କଂଗ୍ରେସ ମଧ୍ୟ ଲୋକସଭାର ଆକାର ୫୦% ବୃଦ୍ଧି କରିବା ପ୍ରସ୍ତାବକୁ ବିରୋଧ କରି କହିଛି ଯେ ଏପରି ପଦକ୍ଷେପ ଦକ୍ଷିଣ, ଉତର-ପୂର୍ବ ଏବଂ ପଶ୍ଚିମ ଭାରତର ଛୋଟ ରାଜ୍ୟଗୁଡ଼ିକୁ ପାଇଁ ଅସୁବିଧାଜନକ ହେବ ।
ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବାକୁ ୨୦୨୩ରେ ସମ୍ବିଧାନରେ ସଂଶୋଧନ କରାଯାଇଥିଲା । କିନ୍ତୁ ସୀମା ନିର୍ଦ୍ଦାରଣ ପରେ ଏହାକୁ ଲାଗୁ କରାଯିବ ।
ବର୍ତମାନ ଲୋକସଭାରେ ୫୪୩ ଆସନ ଥିବାବେଳେ ଏହାକୁ ୮୧୬କୁ ବୃଦ୍ଧି କରିବାକୁ ଯୋଜନା ରହିଛି ଓ ମହିଳାଙ୍କ ପାଇଁ ଏଥିରେ ୨୭୩ଟି ଆସନ ସଂରକ୍ଷିତ ରଖାଯିବ ।