ମନ୍ତ୍ରୀ ଭାବେ ଶପଥ ନେଲେ ନିଶାନ୍ତ ଓ ୩୧ ନେତା
ସଂପ୍ରସାରଣ ହେଲା ବିହାର କ୍ୟାବିନେଟ ମନ୍ତ୍ରିମଣ୍ଡଳ ।
ମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର । ପାଟଣାର ଐତିହାସିକ ଗାନ୍ଧୀ ମଇଦାନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କ ସମେତ ଏନଡିଏ ମେଂଟର ୩୧ଜଣ ନେତା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନେକ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ । ରାଜ୍ୟପାଳ ଲେଫ୍ଟନାଂଟ ଜେନେରାଲ ସୟଦ ଅତା ହସନୈନ ନୂତନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ରାଜ୍ୟସଭାକୁ ଯିବା ପରେ ତାଙ୍କ ପୁଅ ନିଶାନ୍ତ କୁମାର ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି । ଜଣେ ଇଞ୍ଜିନିୟରିଂ ସ୍ନାତକ ନିଶାନ୍ତ ପ୍ରଥମେ କୌଣସି ରାଜନୈତିକ ପଦବୀ ଗ୍ରହଣ କରିବାକୁ ମନା କରି ଦେଇଥିଲେ ଏବଂ ଜଣେ ସାଧାରଣ କର୍ମୀ ଭାବେ କାମ କରିବାକୁ ଚାହୁଁଥିଲେ । ତେବେ ଜେଡିୟୁ ନେତା ଓ କର୍ମୀଙ୍କ ବାରମ୍ବାର ଦାବି ପରେ ସେ ସରକାରରେ ସାମିଲ ହୋଇଛନ୍ତି ।
ଜେଡିୟୁ କୋଟାରୁ ଶ୍ୱେତା ଗୁପ୍ତା ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିବାବେଳେ ଦାମୋଦର ରାୱତ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ସେହିପରି ବିଜେପି ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ସମେତ କେଦାର ଗୁପ୍ତା, ମିଥିଲେଶ ତିୱାରୀ, ନୀତିଶ ମିଶ୍ର, ପ୍ରମୋଦ ଚନ୍ଦ୍ରବଂଶୀ ପ୍ରମୁଖ ଶପଥ ନେଇଛନ୍ତି ।
ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଲୋକ ମୋର୍ଚାର ମୁଖ୍ୟ ଉପେନ୍ଦ୍ର କୁଶବାହାଙ୍କ ପୁଅ ଦୀପକ ପ୍ରକାଶ ମଧ୍ୟ ଆଗାମୀ ଦିନରେ ମନ୍ତ୍ରିମଣ୍ଡଳରେ ସାମିଲ ହେବାର ସମ୍ଭାବନା ରହିଛି । ନିକଟରେ ଶେଷ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ଏନଡିଏ ୨୪୩ ଆସନରୁ ରେକର୍ଡ ୨୦୨ଟି ଆସନ ଜିତିଥିଲା ।
ଏହି ନିର୍ବାଚନରେ ବିଜେପି ସର୍ବାଧିକ ୮୯ ଆସନ ଜିତିଥିବାବେଳେ ଜେଡିୟୁ ୮୫ ଆସନ ଏବଂ ଏଲଜେପି (ରାମବିଳାଶ) ୧୯ ଆସନ ଜିତିଥିଲା । ମହାମେଂଟ ମାତ୍ର ୩୫ଟି ଆସନରେ ସୀମିତ ରହିଥିଲା । ଏହା ପରେ ଗତ ମାସରେ ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟ ଚୌଧୁରୀ ଦାୟିତ୍ୱ ଗ୍ରହଣ କରିଥିଲେ ।
ଗୁରୁବାରର ଏହି ସମ୍ପ୍ରସାରଣ ପରେ ତାଙ୍କ ମନ୍ତ୍ରିମଣ୍ଡଳ ଏକ ପୂର୍ଣ୍ଣାଙ୍ଗ ରୂପ ନେଇଛି ।