ଜେଲରେ ମହିଳା ଜେଲରଙ୍କ ପ୍ରେମ ବିବାହ
ମଧ୍ୟପ୍ରଦେଶ ସତନା ଜିଲାରେ ଏକ ନିଆରା ପ୍ରେମ କାହାଣୀ ସାମ୍ନାକୁ ଆସିଛି ।
ସତନା ସେଂଟ୍ରଲ ଜେଲର ମହିଳା ଆସିଷ୍ଟାଂଟ ସୁପରିଟେଣ୍ଡେଂଟ ଫିରୋଜା ଖାତୁନ ଜଣେ ପୂର୍ବତନ କଏଦୀ ଧର୍ମେନ୍ଦ୍ର ସିଂହଙ୍କୁ ବିବାହ କରିଛନ୍ତି । ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗିଥିବା ଧର୍ମେନ୍ଦ୍ରଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଜେଲରେ ଡ୍ୟୁଟି ସମୟରେ ଆରମ୍ଭ ହୋଇଥିଲା ।
ପରେ ଉଭୟ ଧର୍ମ ଓ ସମାଜର ପ୍ରାଚୀର ଡେଇଁ ହିନ୍ଦୁ ରୀତିନୀତିରେ ବିବାହ କରିବାକୁ ନିଷ୍ପତି ନେଇଥିଲେ । ସୂଚନା ଅନୁଯାୟୀ ରେୱା ବାସିନ୍ଦା ଫିରୋଜା ଖାତୁନ ସତନା ସେଂଟ୍ରାଲ ଜେଲରେ ୱାରେଂଟ ଇନଚାର୍ଜ ଭାବେ କାର୍ଯ୍ୟ କରୁଥିଲେ । ସେହି ସମୟରେ ଧର୍ମେନ୍ଦ୍ର ସିଂହ ଜେଲରେ ନିଜର ଦଣ୍ଡ ଭୋଗୁଥିଲେ ଏବଂ ଜେଲର ପ୍ରଶାସନିକ କାର୍ଯ୍ୟରେ ସାହାଯ୍ୟ କରୁଥିଲେ ।
ଏହି ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା । ଯାହା ପରବର୍ତୀ ସମୟରେ ପ୍ରେମରେ ପରିଣତ ହୋଇଥିଲା । ୨୦୦୭ ମସିହାରେ ଚାନ୍ଦଲା ନଗର ପରିଷଦର ଉପାଧ୍ୟକ୍ଷ କୃଷ୍ଣ ଦତ ଦୀକ୍ଷିତଙ୍କ ହତ୍ୟା ମାମଲାରେ ଧର୍ମେନ୍ଦ୍ରଙ୍କୁ ଆଜୀବନ କାରାଦଣ୍ଡ ମିଳିଥିଲା । ପ୍ରାୟ ୧୪ବର୍ଷ ଜେଲରେ ରହିବା ପରେ ଭଲ ଆଚରଣ ଯୋଗୁଁ ତାଙ୍କୁ ୪ବର୍ଷ ପୂର୍ବେ ମୁକ୍ତ କରାଯାଇଥିଲା ।
ଜେଲରୁ ବାହାରିବା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ସମ୍ପର୍କ ଅତୁଟ ରହିଥିଲା ।ଧର୍ମେନ୍ଦ୍ର ହିନ୍ଦୁ ହୋଇଥିବାବେଳେ ଫିରୋଜା ଜଣେ ମୁସଲମାନ । ତେଣୁ ଏହି ବିବାହକୁ ଫିରୋଜାଙ୍କ ପରିବାର ତରଫରୁ ତୀବ୍ର ବିରୋଧ କରାଯାଇଥିଲା । ତେବେ ପରିବାରର ବିରୋଧ ସତ୍ୱେ ମେ ୫ତାରିଖରେ ଛତରପୁର ଜିଲାର ଲବକୁଶନଗରରେ ଧର୍ମେନ୍ଦ୍ରଙ୍କ ପରିବାର ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।
ଫିରୋଜାଙ୍କ ପରିବାରର କୌଣସି ସଦସ୍ୟ ଏହି ବିବାହରେ ସାମିଲ ନ ହେବାରୁ କନ୍ୟାଦାନ ରୀତିନୀତି ସମ୍ପନ୍ନ କରିବାରେ ଅସୁବିଧା ଦେଖାଦେଇଥିଲା । ତେବେ ଏହି ସମୟରେ ବିଶ୍ୱ ହିନ୍ଦୁ ପରିଷଦର ଜିଲା ଉପସଭାପତି ରାଜବାହାଦୁର ମିଶ୍ର ଏବଂ ତାଙ୍କ ପତ୍ନୀ ଆଗେଇ ଆସି ଫିରୋଜାଙ୍କ କନ୍ୟାଦାନ କରିଥିଲେ ।
ଏହି ବିବାହ ଉତ୍ସବରେ ବଜରଙ୍ଗ ଦଳର କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ । ସଂପ୍ରତି ଏହି ବିବାହ ଉତ୍ସବ ଚର୍ଚାର ବିଷୟ ହୋଇଛି ।