ଓଡ଼ିଶା ନେତାଙ୍କ ‘ମିଶନ ବେଙ୍ଗଲ’
ମାରାଥନ ପ୍ରଚାରରେ ୮ ମନ୍ତ୍ରୀ, ୪୦ ଏମଏଲଏ
ପଶ୍ଚିମବଙ୍ଗର ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଛି । ପଶ୍ଚିମବଙ୍ଗରେ ଥିବା ଓଡ଼ିଆଙ୍କ ଭୋଟ ହାତେଇବା ପାଇଁ ରାଜ୍ୟ ବିଜେପି ମଧ୍ୟ ଅଂଟା ଭିଡ଼ିଛି ।
ଏହି ମର୍ମରେ ଏବେ ପଶ୍ଚିମବଙ୍ଗ ମୈଦାନକୁ ଓହ୍ଲାଇଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ୮ ମନ୍ତ୍ରୀ ଓ ୪୦ରୁ ଅଧିକ ବିଧାୟକ ।
ପ୍ରଚାର ଦାୟିତ୍ୱରେ ୮ ମନ୍ତ୍ରୀ ଓ ୪୦ରୁ ଅଧିକ ବିଧାୟକ କସରତ କରୁଛନ୍ତି ।
ବିଜେପି ପାଇଁ କମାଣ ସମ୍ଭାଳିଛନ୍ତି ଓଡ଼ିଶା ନେତା ଓ ମନ୍ତ୍ରୀ । ସେମାନଙ୍କୁ ଏଥିରେ ସହଯୋଗ କରୁଛନ୍ତି ପ୍ରତାପ ଷଢ଼ଙ୍ଗୀଙ୍କ ଭଳି ପୁରୁଖା ସାଂସଦ ।
ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଜିଛନ୍ତି ଷ୍ଟାର କ୍ୟାମ୍ପେନର ।
ବିଜେପି ପ୍ରାର୍ଥୀଙ୍କ ଶୋଭାଯାତ୍ରା ଠାରୁ ଆରମ୍ଭ କରି ନାମାଙ୍କନ ପତ୍ର ଦାଖଲ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ତାଙ୍କ ମନ୍ତ୍ରୀ ଏବଂ ବିଧାୟକମାନେ ବିଜେପି ପ୍ରାର୍ଥୀଙ୍କ ସାଥୀରେ ରହୁଥିବା ଦେଖାଯାଉଛି ।
ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସମେତ ଏବେ ପଶ୍ଚିମବଙ୍ଗରେ ଡେରା ପକାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେହିଭଳି ଯୁବ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଓଡ଼ିଶା ଟିମରେ ସାମିଲ ହୋଇ ପଶ୍ଚିମବଙ୍ଗରେ ଥିବା ଓଡ଼ିଆ ଭୋଟରଙ୍କୁ ବିଜେପି ମୁହାଁ କରାଇବାକୁ ପ୍ରାଣପ୍ରଣେ ଚେଷ୍ଟା ଚଳାଇଛନ୍ତି ।
ସେହିପରି ଦିଦିଙ୍କ ଗଡ଼ ବୋଲାଉଥିବା ଭବାନୀପୁରରେ ବିଜେପି ପାଇଁ ପ୍ରଚାର କାର୍ଯ୍ୟ ତୁଲାଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର ଯୁବ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ଉଭୟ ଉତର କୋଲକତା ଓ ଦକ୍ଷିଣ କୋଲକତାରେ ଘମାଘୋଟ ପ୍ରଚାର କରି ଓଡ଼ିଆ ଭୋଟ ହାତେଇବାକୁ ରଣନୀତି ଚଳାଇଛନ୍ତି ।