ଭିଭିଆଇପିଙ୍କ ଗସ୍ତ ସୂଚନା ଲିକ ନେଇ ଓଡ଼ିଶା ସରକାରଙ୍କ କଡ଼ା ଚେତାବନୀ
ସୋସିଆଲ ମିଡ଼ିଆରେ ସୁରକ୍ଷା ସୂଚନା ସେୟାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ । ସମସ୍ତ ଜିଲାପାଳ ଓ ଏସପିଙ୍କୁ ଗୃହ ବିଭାଗ ପକ୍ଷରୁ କଡ଼ା ନିର୍ଦେଶ ହୋଇଛି ।
ଓଡ଼ିଶାରେ ଭିଭିଆଇପିମାନଙ୍କ ଗସ୍ତ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଲିକ ହେବା ଘଟଣାକୁ ରାଜ୍ୟ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି । ଏହି ପ୍ରସଙ୍ଗରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସମସ୍ତ ପୁଲିସ ଏବଂ ପ୍ରଶାସନିକ ମୁଖ୍ୟମାନଙ୍କୁ କଡ଼ା ନିର୍ଦେଶାନାମା ଜାରି କରାଯାଇଛି ।
କୌଣସି ପରିସ୍ଥିତିରେ ଯେପରି ଅତି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କ ଗସ୍ତ ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ସୂଚନା ସାର୍ବଜନୀନ ନ ହୁଏ, ସେଥିପାଇଁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ନୂଆଦିଲ୍ଲୀସ୍ଥିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଭିତିରେ ରାଜ୍ୟ ଗୃହ ବିଭାଗ ଏହି ତ୍ୱରିତ ପଦକ୍ଷେପ ଗ୍ରହଣ କରିଛି ।
ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ଭବେଶ କୁମାର ନାୟକ ଏକ ସ୍ୱତନ୍ତ୍ର ଚିଠି ଜରିଆରେ ପୁଲିସ ମହାନିର୍ଦେଶକ (ଡିଜିପି), ଗୁଇନ୍ଦା ନିର୍ଦେଶକ, ସମସ୍ତ ଜିଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ (ଏସପି)ମାନଙ୍କୁ ସତର୍କ କରାଇଛନ୍ତି ।
ଭିଭିଆଇପିଙ୍କ ଟିକିନିଖି କାର୍ଯ୍ୟକ୍ରମ, ସୁରକ୍ଷା ବ୍ୟବସ୍ଥା ଏବଂ ପରିଚାଳନାଗତ ତଥ୍ୟ ଆଦାନପ୍ରଦାନ ବେଳେ ବ୍ୟାପକ ସତର୍କତା ଅବଲମ୍ବନ କରିବାକୁ ଏହି ଚିଠିରେ ସ୍ପଷ୍ଟ ନିର୍ଦେଶ ଦିଆଯାଇଛି ।
ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଭିଭିଆଇପିଙ୍କ ଗସ୍ତ ସୂଚନା ଭାଇରାଲ ହେବା ଘଟଣାକୁ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ଯଦି କୌଣସି ଅଧିକାରୀ ବା କର୍ମଚାରୀ ପ୍ରୋଟୋକଲ ଉଲ୍ଲଂଘନ କରନ୍ତି କିମ୍ବା ବିନା ଅନୁମତିରେ ଏହି ଗୁପ୍ତ ତଥ୍ୟ ସେୟାର କରନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ବିଭାଗ ଚେତାବନୀ ଦେଇଛି ।
ଏହା ସହିତ ସମସ୍ତ ବିଭାଗକୁ ନିଜର ଆଭ୍ୟନ୍ତରୀଣ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିର୍ଦେଶ ଦିଆଯାଇଛି । ବିନା ଉଚ୍ଚ କର୍ତୃପକ୍ଷଙ୍କ ଅନୁମତିରେ ଭିଭିଆଇପିଙ୍କ ଗମନାଗମନ କିମ୍ବା ସୁରକ୍ଷା ଯୋଜନା ସମ୍ବନ୍ଧୀୟ କୌଣସି ବି ସମ୍ବେଦନଶୀଳ ସୂଚନା ସାର୍ବଜନୀନ ଭାବେ ବା ଇଲେକ୍ଟ୍ରୋନିକ ମାଧ୍ୟମରେ ସେୟାର କରାଯାଇପାରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।