‘ଏସିଆନ ଇଣ୍ଡୋର ଆଥଲେଟିକ୍ସ ଚମ୍ପିଆନସିପ-୨୦୨୭’ : ଆୟୋଜନ କରିବ ଓଡ଼ିଶା
ଏସିଆନ ଇଣ୍ଡୋର ଆଥଲେଟିକ୍ସ ଚମ୍ପିଆନସିପ ୨୦୨୭ର ଆୟୋଜନ ଓଡ଼ିଶା କରିବ ।
ବିଶ୍ୱ କ୍ରୀଡ଼ା ଜଗତରେ ଓଡ଼ିଶାର ସୁନାମ ପୁଣି ଥରେ ଶୀର୍ଷକୁ ଛୁଇଁବାକୁ ଲାଗିଛି । ଜଣାପଡ଼ିଛି ଯେ ଆସନ୍ତା ୨୦୨୭ ଏସିଆନ ଇଣ୍ଡୋର ଆଥଲେଟିକ୍ସ ଚମ୍ପିଆନସିପ ଆୟୋଜନ କରିବାର ଏକ ବଡ଼ ସୁଯୋଗ ଓଡ଼ିଶା ପାଇବାକୁ ଯାଉଛି ।
ହଂକଂଠାରେ ଅନୁଷ୍ଠିତ ଏସିଆନ ଆଥଲେଟିକ୍ସ କାଉନସିଲ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଓଡ଼ିଶା ସହିତ ଚଣ୍ଡୀଗଡ଼କୁ ୨୦୨୮ ଏସିଆନ ରିଲେ ଆୟୋଜନର ଦାୟିତ୍ୱ ମଧ୍ୟ ମିଳିଛି । ଏହି ପ୍ରତିଷ୍ଠିତ ଆନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନର ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ଆଥଲେଟିକ୍ସ ସଂଘକୁ ଶୁଭେଚ୍ଛା ଜଣାଇଛନ୍ତି ।
ଓଡ଼ିଶାବାସୀଙ୍କ ପାଇଁ ଏହା ଗର୍ବ ଓ ଗୌରବର ମୁହୂର୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ସଫଳତା ଓଡ଼ିଶାର କ୍ରୀଡ଼ା ମୁକୁଟରେ ଆଉ ଏକ ସୁନାର ପଲକ ଖୋସିବ ।
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ଏହି ସମସ୍ତ ମେଗା ଟୁର୍ଣ୍ଣାମେଂଟ ଆୟୋଜନ ହେବ ।