ମହଙ୍ଗା ହେବ ପେଟ୍ରୋଲ, ଡିଜେଲ
ମଧ୍ୟପ୍ରାଚ୍ୟ ଯୁଦ୍ଧର ଝଟକା ଖୁବଶୀଘ୍ର ଦେଶର ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିବ । କାରଣ ଘରୋଇ ବଜାରରେ ମହଙ୍ଗା ହେବାକୁ ଯାଉଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ଜଣାପଡ଼ିଛି ଯେ ପେଟ୍ରୋଲ ଲିଟର ପ୍ରତି ୧୮ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୩୫ଟଙ୍କା ମହଙ୍ଗା ହୋଇପାରେ ।
ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ନିର୍ବାଚନ ଶେଷ ହେବା ପରେ ପେଟ୍ରୋଲ, ଡିଜେଲ ମୂଲ୍ୟରେ ଏଭଳି ବୃଦ୍ଦି ଘଟିବାର ଆଶଙ୍କା କରାଯାଉଛି । ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ଭାରତୀୟ ତୈଳ ବିପଣନକାରୀ କମ୍ପାନୀଗୁଡ଼ିକ ଉପରେ ପଡ଼ିବାରେ ଲାଗିଛି ।
ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଯୋଗୁଁ ତୈଳ କମ୍ପାନୀଗୁଡ଼ିକ ପ୍ରତି ଲିଟର ପେଟ୍ରୋଲରେପ୍ରାୟ ୧୮ଟଙ୍କା ଏବଂ ଡିଜେଲରେ ୩୫ଟଙ୍କା କ୍ଷତି ସହୁଛନ୍ତି । ଗତ ମାସରେ ତିନି କମ୍ପାନୀ ତେଲ ବିକ୍ରିରେ ପ୍ରାୟ ୨୪୦୦ କୋଟି ଟଙ୍କା କ୍ଷତି ସହିଛନ୍ତି ।
ସରକାରଙ୍କ ଦ୍ୱାରା ଉତ୍ପାଦ ଶୁଳ୍କରେ ୧୦ଟଙ୍କା ଛାଡ଼ ପରେ ଏହି କ୍ଷତି ୧୬୦୦କୋଟି ଟଙ୍କାକୁ ହ୍ରାସ ହୋଇଛି ।
ଅପରପକ୍ଷେ ଅଶୋଧିତ ତୈଳ ମୂଲ୍ୟରେ ବ୍ୟାରେଲ ପ୍ରତି ୧୦ ଡଲର ବୃଦ୍ଧି ଘଟିଲେ ପେଟ୍ରୋଲ ଲିଟରରେ ପ୍ରାୟ ୬ଟଙ୍କାର ଅତିରିକ୍ତ ଚାପ ପଡ଼ୁଛି ।
ତୈଳ କମ୍ପାନୀଗୁଡ଼ିକ ସମ୍ମୁଖୀନ ହେଉଥିବା ଆର୍ଥିକ କ୍ଷତି ଭରଣା କରିବା ପାଇଁ କେନ୍ଦ୍ର ସରକାର ବିଧାନସଭା ନିର୍ବାଚନ ପରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି କରିପାରନ୍ତି । ମ୍ୟାକ୍ୱାରୀ ଗ୍ରୁପର ଏକ ରିପୋର୍ଟ ଅନୁସାରେ ଏପ୍ରିଲ ପରେ ପେଟ୍ରୋଲ ବୃଦ୍ଧି ଘଟିପାରେ ।