ଭୁବନେଶ୍ୱରରେ ଖୋଲିଲା ସିଏଜି ପୂର୍ବାଂଚଳ କାର୍ଯ୍ୟାଳୟ
ଭୁବନେଶ୍ୱରରେ ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି)ଙ୍କ ପୂର୍ବାଂଚଳ ଶାଖା କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଛି ।
କେଶରୀ ନଗରସ୍ଥିତ ଆକାଉଂଟାଂଟ ଜେନେରାଲ (ଅଡିଟ-୨) କାର୍ଯ୍ୟାଳୟ ପରିସର ରହିଥିବା ଏହି କାର୍ଯ୍ୟାଳୟକୁ ଭାରତର ଉପ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ପୂର୍ବ କ୍ଷେତ୍ର) କୀର୍ତି ତିୱାରୀ ଉଦ୍ଘାଟନ କରିଥିଲେ । ପୂର୍ବ ଭାରତରେ ସାର୍ବଜନୀନ ନିରୀକ୍ଷଣ ଓ ଆର୍ଥିକ ପର୍ଯ୍ୟବେକ୍ଷଣ ବା ଅଡିଟକୁ ସୁଦୃଢ଼ କରିବା ଦିଗରେ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ପୂର୍ବାଂଚଳ କାର୍ଯ୍ୟାଳୟ ସ୍ଥାପନ ଦ୍ୱାରା ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଭଳି ଚାରିଟି ରାଜ୍ୟର ସିଏଜି ସଂସ୍ଥାର ଆଂଚଳିକ ମୁଖ୍ୟାଳୟ ଭାବେ କାମ କରିବ ଓ ଅଂଚଳର ସାତଟି ମହାଲେଖାକାର (ଏଜି) କାର୍ଯ୍ୟାଳୟକୁ ନିୟନ୍ତ୍ରଣ କରିବ ।
ଦିଲ୍ଲୀଠାରେ କାର୍ଯ୍ୟ କରୁଥିବା ପୂର୍ବାଂଚଳ ଶାଖାର ସମସ୍ତ କାର୍ଯ୍ୟ ଏଠାରେ ସମ୍ପାଦିତ ହେବ । ଏପର୍ଯ୍ୟନ୍ତ ଦିଲ୍ଲୀସ୍ଥିତ ସିଏଜି ମୁଖ୍ୟାଳୟ ମାଧ୍ୟମରେ ଯେଉଁ କାର୍ଯ୍ୟ କରାଯାଉଥିଲା, ନୂତନ ପୂର୍ବାଂଚଳ କାର୍ଯ୍ୟାଳୟ କାର୍ଯ୍ୟ କରିବାଦ୍ୱାରା ତାର ବିକେନ୍ଦ୍ରୀକରଣ ହେବ ଏବଂ ଅଂଚଳର ନିରୀକ୍ଷଣ ସମନ୍ୱୟ ଓ ପର୍ଯ୍ୟବେକ୍ଷଣର ଉନ୍ନତି ଆସିବ ।
ଏହି କାର୍ଯ୍ୟାଳୟ ସିଏଜି ସଂସ୍ଥାର ଆଂଚଳିତସ୍ତରୀୟ ଉପସ୍ଥିତିକୁ ବଢ଼ାଇବା ସହିତ ସାର୍ବଜନୀନ ଆର୍ଥିକ ପରିଚାଳନା ଓ ଦାୟିତ୍ୱବୋଧ ପ୍ରତି ତାର ପ୍ରତିବଦ୍ଦତାକୁ ଶକ୍ତିଶାଳୀ କରିବ ।
ଉଦ୍ଘାଟନୀ ଉତ୍ସବରେ ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ) ଡି ସାହୁ, ଅଡିଟ-୧ର ପ୍ରଧାନ ମହାଲେଖାକାର ସୁବୁ ଆର, ପ୍ରମୁଖ ନିର୍ଦେଶକ ସ୍ମୃତି, ପୂର୍ବତଟ ରେଳବାଇର ଅଡିଟର ମହାନିର୍ଦେଶକ ଅନୁପ ଫ୍ରାନସିସ ଡୁଙ୍ଗଡୁଙ୍ଗ, ମହାଲେଖାକାର ଅଡିଟ-୨ର ମହାଲେଖାକାର ଅତୁଲ ପ୍ରକାଶ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।