ଓଲଟିଲା ତୀର୍ଥଯାତ୍ରୀ ବସ, ୬ ମୃତ
ପଞ୍ଜାବର ଫତେଗଡ଼ ସାହିବରେ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ ଓଲଟି ପଡ଼ିବାଦ୍ୱାରା ୬ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଆହତମାନଙ୍କ ମଧ୍ୟରେ କିଛି ଶିଶୁ ଏବଂ ମହିଳା ଥିବା ଜଣାପଡ଼ିଛି ।
ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମୋରିଣ୍ଡା ଏବଂ ଫତେଗଡ଼ ସାହିବର ଡାକ୍ତରଖାନାରେ ଭର୍ତି କରାଯାଇଛି ।
ସୂଚନା ଅନୁଯାୟୀ ଫତେଗଡ଼ ସାହିବରୁ ପ୍ରାୟ ୪୦ଜଣ ଶ୍ରଦ୍ଧାଳୁଙ୍କୁ ନେଇ ବୈଶାଖୀ ମେଳା ଦେଖିବାକୁ ବସଟି ଯାଉଥିଲା ।
ଫେରିବା ସମୟରେ ବସଟି କୌଣସି ଯାନ୍ତ୍ରିକ ତ୍ରୁଟିରୁ ହଠାତ ଏକ ବିଦ୍ୟୁତ ଖୁଂଟରେ ପିଟି ହୋଇ ଓଲଟି ପଡ଼ିଯାଇଥିଲା । ଗତକାଲି ବିଳମ୍ବିତ ରାତ୍ରିରେ ହିମ୍ମତପୁରା (ଭାଟେରୀ) ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତି କରାାଇଛି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି ।
ମୃତକଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି । ଘଟଣା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ବିଧାୟକ ରୂପିନ୍ଦର ସିଂହ ହାପି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।