ଭୋଟ ପରବର୍ତୀ ହିଂସା ପ୍ରସଙ୍ଗ : ଅଡ଼ୁଆରେ ପରମବ୍ରତ ଓ ସ୍ୱସ୍ତିକା
୨୦୨୧ ବିଧାନସଭା ଭୋଟ ପରବର୍ତୀ ହିଂସାକୁ ଉସୁକାଇବା ଅଭିଯୋଗରେ ଅଭିନେତା ପରମବ୍ରତ ଚଟ୍ଟୋପାଧ୍ୟାୟ ଓ ଅଭିନେତ୍ରୀ ସ୍ୱସ୍ତିକା ମୁଖୋପାଧ୍ୟାୟଙ୍କ ବିରୋଧରେ ଗଡ଼ିଆହାଟ ଥାନାରେ ଏକ ଲିଖିତ ଅଭିଯୋଗ ଜନୈକ ଆଇନଜୀବୀ ଦାଏର କରିଛନ୍ତି ।
ଅଭିଯୋଗକାରୀ ଆଇନଜୀବୀ ଜୟଦୀପ ସେନଙ୍କ ଦାବି ଯେ ଦୁଇ ତାରକାଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟକୁ କେନ୍ଦ୍ରକରି ସେହି ସମୟରେ ଉତ୍ସାହିତ ହୋଇ କେତେକ ତୃଣମୂଳ ଆଶ୍ରିତ ଦୁର୍ବୃତ ବିଜେପି କର୍ମୀ ଓ ସମର୍ଥକଙ୍କ ଉପରେ ଆକ୍ରମଣାତ୍ମକ ହାମଲା କରିଥିଲେ ।
ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ୨୦୨୧ ମସିହା ମେ ୨ତାରିଖରେ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ଦିନ ଅପରାହ୍ନରେ ପରମବ୍ରତ ‘ଫେସବୁକ’ରେ କିଛି ବିତର୍କିତ ବାକ୍ୟ ଲେଖିଥିଲେ, ଯାହାକୁ ଅଭିନେତ୍ରୀ ସ୍ୱସ୍ତିକା ମୁଖୋପାଧ୍ୟାୟ ସମର୍ଥନ ଜଣାଇଥିଲେ ।
ଏହି ପ୍ରସଙ୍ଗରେ ସଂଶ୍ଲିଷ୍ଟ ଆଇନଜୀବୀଙ୍କ ଅଭିଯୋଗ ଏଭଳି ପୋଷ୍ଟ ଯୋଗୁଁ ଘଟଣାର ଏକ ଘଂଟା ମଧ୍ୟରେ ବିଜେପି କର୍ମୀ ଅଭିଜିତ ସରକାରଙ୍କୁ ବେଲେଘାଟାରେ ହତ୍ୟା କରାଯାଇଥିଲା । ତାଙ୍କର ଦାବି ସମଗ୍ର ରାଜ୍ୟରେ ଯେଉଁ ଅରାଜକତା ସୃଷ୍ଟି ହୋଇଥିଲା, ତାହା ଏହି ଦୁଇ ତାରକାଙ୍କ ଏଭଳି ‘ଉସୁକାଇବା’ ମନ୍ତବ୍ୟର ଭୂମିକା ଥିଲା ।
ଭୋଟ ପରବର୍ତୀ ହିଂସାରେ ଅଭିଜିତ ସରକାର ହତ୍ୟାକାଣ୍ଡର ତଦନ୍ତଭାର ସିବିଆଇକୁ ଦିଆଯାଇଥିଲା । ଏହି ମାମଲାରେ ଏକାଧିକ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରାଯାଇଛି । କିନ୍ତୁ ଅଭିଯୋଗ ସମ୍ପର୍କରେ ପରମବ୍ରତ ଏବଂ ସ୍ୱସ୍ତିକାଙ୍କ ସହ ଆଲୋଚନା ପାଇଁ ଫୋନ କରାଯାଇଥିଲେ ସୁଦ୍ଧା ସେମାନେ ତାହା ଧରି ନଥିଲେ ବୋଲି ସେ କହିଛନ୍ତି ।