ପ୍ରଭାତ ଓ ସୌଭିକଙ୍କ କୁଶପୁତଳିକା ଦାହକୁ ବିରୋଧ
ଦଳ ଛାଡ଼ି ପାରନ୍ତି ୧୪ କର୍ପୋରେଟର
ଗତ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ ଓ ଦଳ ସୁପି୍ରମୋଙ୍କୁ ବେଖାତିର କରି କ୍ରସ ଭୋଟିଂ କରିଥିବା ୧୨ ଜଣ ବିଜେଡି ଓ କଂଗ୍ରେସ ବିଧାୟକଙ୍କୁ ଦଳ ନିଲମ୍ବନ କରିସାରିଛି । କେବଳ ବିଜେଡିରୁ ୮ ଜଣ ବିଧାୟକ କ୍ରସ ଭୋଟିଂ କରିଥିବାରୁ ପିଏସି କାଉନସିଲର ରିପୋର୍ଟ ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଏଯାବତ ୬ ଜଣ ବିଧାୟକ ଯଥା ସୌଭିକ ବିଶ୍ୱାଳ, ଦେବୀ ରଂଜନ ତି୍ରପାଠୀ, ଚକ୍ରମଣି କହଁର, ସୁବାସିନି ଜେନା, ନବକିଶୋର ମଲିକ ଓ ରମାକାନ୍ତ ଭୋଇଙ୍କୁ ନିଲମ୍ବନ କରିସାରିଛନ୍ତି ।
ଏହି ନିଲମ୍ବନକୁ ନେଇ ବିଜେଡିରେ ଦେଖାଯାଇଛି ବିଦ୍ରୋହର ଝଡ଼ । ଜଣଙ୍କ ପରେ ଜଣେ ବିଧାୟକ ଗଣମାଧ୍ୟମ ଆଗରେ ତାଙ୍କର ଅସନ୍ତୋଷ ଝାଡ଼ିସାରିଛନ୍ତି । ସେମାନେ ବିଜୁ ଲିଗାସୀକୁ ସମର୍ଥନ କରି ନବୀନ ଓ ଭି.କେ.ପାଣ୍ଡିଆନଙ୍କ ମନମାନିକୁ ବିରୋଧରେ ଏହି କ୍ରସ ଭୋଟିଂ କରିଥିବା ଖୁଲମଖୁଲା କହିଛନ୍ତି ।
ତେବେ ଏହାପରେ ଆରମ୍ଭ ହୋଇଛି ବିଜୁ ଲିଗାସୀ ସମର୍ଥନ ଗୋଷ୍ଠୀ ଓ ନବୀନ ନେପୋଟିଜିମର ସଦସ୍ୟଙ୍କ ମଧ୍ୟରେ ରାଜନୈତିକ ବାକ୍ ଯୁଦ୍ଧ ।
ଗତ ସୋମବାର କ୍ରସ୍ ଭୋଟିଂ କରିଥିବା ୩ ବିଧାୟକ ସୌଭିକ ବିଶ୍ୱାଳ, ସୋଫିଆ ଫିର୍ଦୋଷ ଓ ଦେବୀ ରଂଜନ ତି୍ରପାଠୀଙ୍କ କୁଶପୁତଳିକାକୁ କଟକ ମେୟର ସୁବାଷ ସିଂହ, ବରିଷ୍ଠ ନେତା ପ୍ରଫୁଲ୍ଲ ସିଂହଙ୍କ ଉପସ୍ଥିତିରେ ବହୁ ବିଜେଡି କର୍ମୀ ଦାହ କରିଥିଲେ ।
ଖାଲି ସେତିକି ନୁହେ ସେମାନେ ବିଧାୟକ ସୌଭିକ ବିଶ୍ୱାଳଙ୍କ ପିତା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ କୁଶପୁତଳିକାକୁ ମଧ୍ୟ ଦାହ କରିଥିଲେ ।
ଅନ୍ୟପଟେ ପ୍ରଭାତ ଓ ସୌଭିକଙ୍କ କୁଶପୁତଳିକା ଦାହକୁ ନେଇ ଚିହିଁଙ୍କି ଉଠିଛନ୍ତି ଆଉ ଚୌଦ୍ୱାର-କଟକ ବିଧାନସଭା ମଣ୍ଡଳୀର ୧୪ ବିଜେଡି କର୍ପୋରେଟର । ବିଜେଡିର କିଛି ମୁଷ୍ଟିମେୟ ନେତାଙ୍କ ହାତରେ ସଖୀକଣ୍ଢେଇ ହୋଇ ନାଚିବା ପରିବର୍ତେ ସେମାନେ ମଧ୍ୟ ଦଳ ଛାଡ଼ିବାକୁ ଘୋଷଣା କରିସାରିଛନ୍ତି ।
ଆଗାମୀ ୨ରୁ ୩ ଦିନ ମଧ୍ୟରେ ସେମାନେ ଦଳରୁ ଇସ୍ତଫା ଦେବେ ବୋଲି କହିସାରିଲେଣି । ସେମାନେ ବିଜେଡିର ଥାଇ ପ୍ରଭାତ ଓ ସୌଭିକଙ୍କୁ ସମର୍ଥନ କରୁଥିଲେ ଓ ଆଗକୁ କରିବେ ବୋଲି କହିଛନ୍ତି ।
ତେବେ ଏହାପରେ ରାଜ୍ୟରେ ବିଜେଡିର ସ୍ଥିତି ରହିବ କି ନାହିଁ ତାହାକୁ ନେଇ ରାଜନୈତିକ ସମୀକ୍ଷକମାନେ ଆଶଙ୍କା ପ୍ରକଟ କରୁଛନ୍ତି ।