ପ୍ରଶ୍ନପତ୍ର ଲିକ : ନିଟ-ୟୁଜି ପରୀକ୍ଷା ବାତିଲ
୨୨ ଲକ୍ଷରୁ ଉର୍ଧ ପରୀକ୍ଷାର୍ଥୀ ନିରାଶ
ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ ଆସିବା ପରେ କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ଗତ ମଇ ୩ ତାରିଖରେ ହୋଇଥିବା ନିଟ-ୟୁଜି ପରୀକ୍ଷାକୁ ବାତିଲ କରାଯାଇଛି ।
ଏହି ପରୀକ୍ଷା ପାଇଁ ସମଗ୍ର ଦେଶରୁ ୨୨ ଲକ୍ଷ ୭୯ ହଜାର ପରୀକ୍ଷାର୍ଥୀ ଆବେଦନ ଦେଇ ପରୀକ୍ଷା ଦେଇଥିଲେ । ତେବେ ମଇ ୧୨ ତାରିଖ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଏହି ନିର୍ଦେଶପରେ ସାନି ପରୀକ୍ଷା ହେବ ।
ଫଳରେ ସେମାନଙ୍କୁ ପୁଣି ଥରେ ନିଟ-ୟୁଜି ପରୀକ୍ଷା ଦେବାକୁ ପଡ଼ିବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ବିଧିବଦ୍ଧ ଭାବେ ନୋଟିିସ ଜାରି କରାଯାଇଛି; ମାତ୍ର ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀମାନଙ୍କୁ ଆଉ ସାନି ପରୀକ୍ଷା ଫି’ ଦେବାକୁ ପଡ଼ିବ ନାହିଁ ।
ସୂଚନାଥାଉ କି, ଏହି ପରୀକ୍ଷାରେ ୧୨୦ଟି ପ୍ରଶ୍ନପତ୍ର ଲିକ ନେଇ ଅଭିଯୋଗ ଆସିବା ପରେ କେନ୍ଦ୍ର ସରକାର ଉକ୍ତ ପରୀକ୍ଷାକୁ ବାତିଲ କରିଦେଇଛନ୍ତି ।
ଏହି ପରୀକ୍ଷାରେ ୯୦ଟି ବାୟୋଲୋଜି ଓ ୩୦ଟି କେମିଷ୍ଟ୍ରି ପ୍ରଶ୍ନପତ୍ର ମ୍ୟାଚ କରିଥିଲା ।
ରାଜସ୍ଥାନରୁ ପ୍ରଶ୍ନପତ୍ର ଲିକ ନେଇ ପ୍ରଥମେ ଅଭିଯୋଗ ଆସିଥିଲା । କିଛି ପରୀକ୍ଷାର୍ଥୀଙ୍କ ହ୍ୱାଟସଆପ ଜରିଆରେ ପ୍ରଶ୍ନପତ୍ର ଲିକ ହୋଇଥିବା ଜଣାପଡ଼ିଥିଲା ।
ଅନ୍ୟପଟେ ଏହି ପ୍ରଶ୍ନପତ୍ର ଲିକ ମାମଲାର ତଦନ୍ତ ସିବିଆଇ କରିବ ବୋଲି ଜଣାପଡ଼ିଛି । କିଛି ପରୀକ୍ଷାର୍ଥୀ ଏହି ପ୍ରଶ୍ନପତ୍ର ପାଇଁ ୩୦ ହଜାର ଟଙ୍କା ଦେଇଥିବା ଅଭିଯୋଗ ହେବା ପରେ କେନ୍ଦ୍ର ସରକାର ଏହି ପରୀକ୍ଷାକୁ ବାତିଲ କରିଦେଇଛନ୍ତି ।
ତେଣେ ନିଟ ପରୀକ୍ଷା ବାତିଲ ଘୋଷଣାକୁ ଦିଲ୍ଲୀରେ ଛାତ୍ର ସଂଗଠନ ଏନଏସୟୁଆଇ ଦୃଢ଼ ବିରୋଧ କରିବା ସହ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।