ବୁଡ଼ାଇଲା, ଉଜାଡ଼ିଲା ବର୍ଷା
ସାଳନ୍ଦୀ ଓ କାଂଶବାଂଶ ନଦୀରେ ୩ ଘାଇ
ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଯୋଗୁଁ ଗତ ୩ ଦିନ ଧରି ଲାଗି ରହିଛି ଲଗାଣ ବର୍ଷା ।
ଏହି ଲଗାଣ ବର୍ଷାରେ ରାଜ୍ୟର ଦୁଇ ପ୍ରମୁଖ ନଦୀ ମହାନଦୀ ଓ କାଠଯୋଡ଼ି ସମେତ ଅନ୍ୟାନ୍ୟ ନଦୀରେ ବନ୍ୟା ଜଳ ଭରି ହୋଇରହିଛି ।
ଏଥିଯୋଗୁଁ ରାଜ୍ୟର ଅଧିକାଂଶ ଜିଲାରେ ଲୋକେ ଏବେ ଜଳବନ୍ଦୀ ହୋଇ ରହିଛନ୍ତି ।
ଏହି ଲଗାଣ ବର୍ଷାରେ ଚାଷ ଉଜୁଡ଼ୁଥିବାବେଳେ ଅନେକ ସ୍ଥାନରେ ବନ୍ୟାପାଣି ଗାଁଗୁଡ଼ିକୁ ଭସାଇ ନେଉଥିବା ଦେଖାଯାଇଛି ।
ଏହା ସହିତ ଦାଉସାଧୁଛି ମହାନଦୀର ବ୍ୟାକ ୱାଟର ।
ସାଳନ୍ଦୀ ଓ କାଂଶବାଂଶ ନଦୀରେ ୩ଟି ଘାଇ ହେବାରୁ ଭଦ୍ରକରେ ବୁଡ଼ିଛି ଶହଶହ ଏକର ଚାଷଜମି ।
ସେହିପରି ସୋନପୁର ଓ ରାୟଗଡ଼ାରେ ଅବସ୍ଥା ସାଂଘାତିକ ।
ଲଗାଣ ବର୍ଷା ଯୋଗୁଁ ସହର ଭିତରେ ଜମି ରହିଥିବା ବର୍ଷା ପାଣି ବାହାରକୁ ନିଷ୍କାସିତ ହୋଇପାରୁନି ।
ସେପଟେ ନଦୀ ଫୁଲି ରହିଥିବାରୁ ତାହା ମଧ୍ୟ ବର୍ଷା ପାଣି ଟାଣୁନି । ଏପରିସ୍ଥଳେ ରାଜ୍ୟର ଅଧିକାଂଶ ସହର ଓ ଗାଁ ଏବେ ଜଳଘେରରେ ରହିଛି ।
ତେଣେ ବଡ଼ମ୍ବାରେ ମା’ ଭଟ୍ଟାରିକାଙ୍କ ମନ୍ଦିର ଭିତରେ ପଶିଛି ବନ୍ୟାଜଳ ।








