ଶ୍ରୀରାମନବମୀ : ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ଆସନ୍ତା ୨୭ତାରିଖରେ ଶ୍ରୀରାମନବମୀ ଉତ୍ସବ । ଏହି ପର୍ବ ଯେପରି ଶାନ୍ତିଶୃଙ୍ଖଳାରେ ପାଳନ କରାଯାଇପାରେ ସେଥିପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।
ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଂଚଳରେ ପାଳିତ ହେଉଥିବା ଶ୍ରୀରାମ ନବମୀ ଉତ୍ସବ ସମ୍ପର୍କରେ ଉପସ୍ଥିତ ପୁଲିସ ଅଧିକାରୀଙ୍କଠୁ ପଚାରି ବୁଝିଥିଲେ ।
ଏହି ଦିନ ଯେପରି ସମଗ୍ର ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରହେ ସେଥିପାଇଁ ପୁଲିସ ପ୍ରଶାସନକୁ ନିର୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ଗତବର୍ଷ (୨୦୨୫)ରେ ପୁଲିସର ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ଏହି ପର୍ବ ଶାନ୍ତିଶୃଙ୍ଖଳାରେ ପାଳନ କରାଯାଇଥିଲା ।
ତାହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଯେପରି ଏହି ପର୍ବ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୁଏ ସେଥିପାଇଁ ପୁଲିସ ପ୍ରଶାସନକୁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପଦେଷ୍ଟା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ ମହା ନିର୍ଦେଶକ ୱାଇ ବି ଖୁରାନିଆ, ଆଇନ ଓ ଶୃଙ୍ଖଳା ଅତିରିକ୍ତ ପୁଲିସ ମହାନିର୍ଦେଶକ ସଂଜୟ କୁମାର, ଗୁଇନ୍ଦା ନିର୍ଦେଶକ ଆର୍ପି କୋଚେ, ଭୁବନେଶ୍ୱର, କଟକ ପୁଲିସ କମିସନର ଦେବଦତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।