ଶ୍ରୀଜୀଉଙ୍କ ମଣତି ଗଣତି ଆରମ୍ଭ
ପୂର୍ବ ଘୋଷଣାନୁଯାୟୀ ବୁଧବାର ମଧ୍ୟାହ୍ନରେ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ମଣତି ଗଣତି ଆରମ୍ଭ ହୋଇଛି । ମୁକ୍ତିମଣ୍ଡପ ପଣ୍ଡିତଙ୍କ ଦ୍ୱାରା ଧାର୍ଯ୍ୟ ସମୟ ସୀମା ବା ମାହେନ୍ଦ୍ର ବେଳା ଥିବା ଦିନ ୧୨ଟା ୯ ମିନିଟରୁ ଅପରାହ୍ଣ ୧ଟା ୪୫ ମିନିଟ ମଧ୍ୟରେ ଏହି ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏହି ଗଣତି ମଣତିବେଳେ ସୁପରଭାଇଜିଂ ଟିମ ଓ ହ୍ୟାଣ୍ଡେଲିଂ ଟିମ ଦ୍ୱାରା ଭଣ୍ଡାର ମେକାପଙ୍କ ସହଯୋଗରେ ସମସ୍ତ ପ୍ରକ୍ରିୟା କରାଯିବାକୁ ଲକ୍ଷ୍ୟ ରଖାଯାଇ ଶ୍ରୀମନ୍ଦିର ଏସଓପି ଅନୁଯାୟୀ ସ୍ୱର୍ଣ୍ଣ ଅଳଙ୍କାରକୁ ହଳଦିଆ, ରୁପା ଅଳଙ୍କାରକୁ ଧଳା ଓ ଅନ୍ୟ ଅଳଙ୍କାରଗୁଡ଼ିକୁ ନାଲି ରଙ୍ଗର କନାରେ ରଖାଯିବ ।
ଶ୍ରୀମନ୍ଦିର ବଣିଆ, ସରକାରୀ ବ୍ୟାଙ୍କର ବଣିଆ, ଜେମୋଲୋଜିଷ୍ଟ ଏବଂ ଆରବିଆଇ ଅଧିକାରୀମାନଙ୍କ ଦ୍ୱାରା ଗଣତି ଏବଂ ଓଜନ କରାଯିବ; କିନ୍ତୁ କୌଣସି ମୂଲ୍ୟାୟାନ କରାଯିବ ନାହିଁ ବୋଲି ସରକାର ଓ ଶ୍ରୀମନ୍ଦର ପ୍ରଶାସନ ସ୍ପଷ୍ଟ କରିଛି ।
ଗତ ୧୯୭୮ ମସିହାରେ ଶେଷ ଥର ପାଇଁ ଗଣତି ମଣତି କରାଯାଇଥିଲା । ସେତେବେଳେ ପ୍ରାୟ ୭୦ ଦିନ ଧରି ଗଣତି ମଣତି କରାଯାଇଥିଲା । ସେତେବେଳେ ୪୫୪ ପ୍ରକାରର ୧୨୮.୩୮ କିଲୋଗ୍ରାମର ସ୍ୱର୍ଣ୍ଣ, ୨୯୩ ପ୍ରକାରର ୨୨୧.୫୩ କିଲୋଗ୍ରାମର ରୁପା ଅଳଙ୍କାର ରହିଥିବା ପୁସ୍ତକ ପ୍ରକାଶ ପାଇଥିଲା ।
ଭିତର ରତ୍ନ ଭଣ୍ଡାରରେ ୩୬୭ ପ୍ରକାରର ୪୩.୦୬ କିଲୋଗ୍ରାମର ସ୍ୱର୍ଣ୍ଣ, ୨୩୧ ପ୍ରକାରର ୧୪୮.୭ କିଲୋଗ୍ରାମର ରୂପା ଅଳଙ୍କାର ରହିଛି । ବାହାର ଭଣ୍ଡାର ଘରେ ୭୯ ପ୍ରକାରର ୮୧.୦୭ କିଲୋଗ୍ରାମର ସ୍ୱର୍ଣ୍ଣ ଏବଂ ୩୯ ପ୍ରକାରର ୪୬.୦୭ କିଲୋଗ୍ରାମର ରୁପା ଅଳଙ୍କାର ରହିଛି ।
ସେହିଭଳି ଚଳନ୍ତି ଭଣ୍ଡାର ଘରେ ୮ ପ୍ରକାରର ସ୍ୱର୍ଣ୍ଣ ଓ ୨୩ ପ୍ରକାରର ରୁପା ରହିଛି । ଏତଦ୍ବ୍ୟତୀତ ରତ୍ନଭଣ୍ଡାରରେ ବହୁ ମୂଲ୍ୟବାନ ରତ୍ନ ପଥର ସମେତ, ହୀରା, ମାଣିକ୍ୟ ଆଦି ପଦାର୍ଥର ଅଳଙ୍କାର ରହିଛି ।
ବର୍ତମାନ ଗଣତିମଣତିବେଳେ ତାହାକୁ ମେଳକ କରାଯିବ । ଗଣତିମଣତି ପ୍ରକ୍ରିୟାରେ ଦୁଇଟି ଟିମ୍ କାର୍ଯ୍ୟ କରିବ ।