ଗହଣା ଆମଦାନୀ ଉପରେ କଟକଣା
ସୁନା, ରୁପା ଓ ପ୍ଲାଟନିମ ଆମଦାନୀ ଉପରେ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି । ବୈଦେଶିକ ବ୍ୟବସାୟ ମହାନିର୍ଦେଶାଳୟ (ଡିଜିଏଫ୍ଟି) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍ଟିଏ) ଅପବ୍ୟବହାର ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ପୂର୍ବରୁ ଏହି ଅଳଂକାର ଆମଦାନୀଗୁଡ଼ିକ କଟକଟାମୁକ୍ତ ଥିଲା । କିନ୍ତୁ ନିକଟରେ ତାହା ନିଷିଦ୍ଦ ବର୍ଗରେ ସାମିଲ କରାଯାଇଛି । ସେହି ତାଲିକାରେ ୭୧୧୩ଟି ସାମଗ୍ରୀ ରହିଥିବା ଜଣାପଡ଼ିଛି ।
ସାମଗ୍ରୀଗୁଡ଼ିକ ମଗାଇବା ପୂର୍ବରୁ ଡିଜିଏଫ୍ଟିଠାରୁ ଲାଇସେନ୍ସ କିମ୍ବା ପ୍ରାକ୍ ଅନୁମୋଦନ ଆବଶ୍ୟକ । ତେବେ ଦେଶରେ ଥିବା ରପ୍ତାନି ଆଧାରିତ କାରଖାନା ଓ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ (ଏସଇଜେଡ)ରେ ଥିବା ୟୁନିଟ୍ ଉପରେ ସେହି କଟକଣା ଲାଗୁ ହେବ ନାହିଁ ।
ଗହଣା, ରତ୍ନପଥର ରପ୍ତାନୀ ସ୍କିମ ପାଇଁ ହେଉଥିବା ଆମଦାନୀ ଉପରେ ମଧ୍ୟ ସେହି କଟକଣା ଲାଗୁ କରାଯାଇ ନାହିଁ । ସୁନା, ରୁପା ଓ ପ୍ଲାଟିନମ ଅଳଙ୍କାର ଆମଦାନୀ ବେଳେ ଭାରତ-ଆସିଆନ ମୁକ୍ତ ବାଣିଜ୍ୟ ରାଜିନାମାର ବ୍ୟାପକ ଅପବ୍ୟବହାର କରାଯାଉଥିବା ସନେ୍ଦହ କରାଯାଉଛି ।
୨୦୧୦ରେ ସେହି ରାଜିନାମା ହୋଇଥିଲା । ପ୍ରକୃତ ଆମଦାନୀକାରୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଆମଦାନୀ କଟକଣା ଲଗାଯାଇଛି ।
ଗତବର୍ଷ ସେପ୍ଟେମ୍ବରରେ ନିର୍ଦ୍ଦିଷ୍ଟ କେତେକ ପ୍ରକାରର ପ୍ଲାଟିନମ ଗହଣା ଉପରେ ଆମଦାନୀ କଟକଣା ଲଗାଯାଇଥିଲା ।
ସେହିପରି ରୁପା ଉପରେ ଲଗାଯାଇଥିବା କଟକଣା ଚଳିତବର୍ଷ ମାର୍ଚ ପର୍ଯ୍ୟନ୍ତ ଥିଲା । ଅଭିଯୋଗ ରହିଛି ଯେ ଥାଇଲାଣ୍ଡ ଭଳି ଦେଶରୁ ଅନ୍ଷ୍ଟେଟେଡ ଗହଣା ନାମରେ ବହୁ ପରିମାଣର ମୂଲ୍ୟବାନ ଗହଣା ଦେଶକୁ ଆମଦାନୀ କରାଯାଉଛି ।