ଆର ଜି କର ମାମଲା : ବିିନୀତ ସହ ତିନି ଆଇପିଏସ ବରଖାସ୍ତ
କଲକାତାର ଆର ଜି କର ହାସପାତାଳରେ ଦୁଷ୍ମର୍ମ ଓ ହତ୍ୟା ଘଟଣା ଅଭିଯୋଗରେ ତକ୍ରାଳୀନ ପୁଲିସ କମିସନର ବିନୀତ ଗୋୟେଲ, ତକ୍ରାଳୀନ ଡିସି ସେଂଟ୍ରାଲ ଆଇପିଏସ ଇନ୍ଦିରା ମୁଖୋପାଧ୍ୟାୟ ଓ ତକ୍ରାଳୀନ ଡିସି ନର୍ଥ ଅଭିଷେକ ଗୁପ୍ତାଙ୍କୁ ବରଖାସ୍ତ କରାଯିବା ସିଦ୍ଧାନ୍ତ ହୋଇଛି ।
ଘଟଣାର ତଦନ୍ତ କ୍ଷେତ୍ରରେ ପୁଲିସ ପକ୍ଷରୁ ମିସ ହ୍ୟାଣ୍ଡେଲିଂ ଏବଂ ଅସହଯୋଗ କରାଯିବା କାରଣରୁ ବରଖାସ୍ତ କରାଯାଇଛି ବୋଲି କୁହାଯାଇଛି । ମୁଖ୍ୟ ସଚିବାଳୟ ‘ନବାନ୍ନ’ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଆର ଜି କର ଚିକିତ୍ସକଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଫାଇଲ ନୂତନ ଭାବେ ଖୋଲା ଯିବ ।
ସେହି ତଦନ୍ତ ସହ ଯୁକ୍ତ ଏହି ତିନି ଅଧିକାରୀଙ୍କୁ ଆପାତତଃ ବରଖାସ୍ତ କରାଯିବ । ବିଭିନ୍ନ ପଦରେ କର୍ମରତ ତିନି ଆଇପିଏସ ଅଧିକାରୀଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଆହୁରି କହିଛନ୍ତି ଯେ ଏହି ଆଇପିଏସ ଅଧିକାରୀଙ୍କ ଫୋନ କଲ, ହ୍ୱାଟସଆପ ଇତ୍ୟାଦି ଯାଂଚ କରାଯିବ ।
କାରଣ ଦେଖିବାକୁ ହେବ ଯେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ବା ଅନ୍ୟ କୌଣସି ମନ୍ତ୍ରୀଙ୍କ କଥାରେ ଏମାନେ ସାମ୍ବାଦିକ ବୈଠକ କରିଥିଲେ କି ନାହିଁ । ତେବେ ପ୍ରାଥମିକ ଭାବେ ପରିସ୍ଥିତି ସମ୍ପର୍କରେ ଭୁଲ ତଥ୍ୟ ଦେବା ଅଭିଯୋଗର ତଦନ୍ତ ହେବ ।
ଉଲ୍ଲେଖଯୋଗ୍ୟ ଆର ଜି କର ନିର୍ଯ୍ୟାତିତାଙ୍କ ମାଆ ବିଧାନସଭା ନିର୍ବାଚନ ପୂର୍ବେ ବିଜେପିରେ ଯୋଗ ଦେଇଛନ୍ତି । ସେ ପାଣିହାଟୀ କ୍ଷେତ୍ରରୁ ବିଜେପି ଟିକଟରେ ନିର୍ବାଚନରେ ଅଂଶଗ୍ରହଣ କରି ବିଜୟୀ ହୋଇଛନ୍ତି ।
ନୂତନ ଭାବେ ଯେପରି ସେହି ଘଟଣାର ଫାଇଲ ଖୋଲାଯାଏ, ସେ ବିଷୟରେ ଆବେଦନ କରିଥିଲେ । ତାହାକୁ ଗୁରୁତ୍ୱ ଦିଆଯାଇ ଏଭଳି ତଦନ୍ତ ଆରମ୍ଭ ହୋଇଛି ବୋଲି କୁହାଯାଇଛି ।