ଏସସିବି ଅଗ୍ନିକାଣ୍ଡ : ବଦଳିଲେ ଡିନ ଓ ଅଧୀକ୍ଷକ
କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ପରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ଏସସିବି ଡିନ୍ (ଅଧ୍ୟକ୍ଷ) ଏବଂ ଅଧୀକ୍ଷକଙ୍କୁ ବଦଳି କରାଯାଇଛି ।
ବାରମ୍ବାର ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଶେଷରେ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି । ରବିବାର ଛୁଟିଦିନ ସତ୍ୱେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ସମ୍ପର୍କରେ ସୂଚନା ଜାରି କରାଯାଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ବିଜ୍ଞପ୍ତି ଅନୁଯାୟୀ ବାରିପଦା ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ଡିନ ପ୍ରଫେସର ଡା. ପ୍ରତିଭା ପଣ୍ଡାଙ୍କୁ ଏସସିବି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ଡିନ ଭାବେ ନିଯୁକ୍ତ କରାଯାଇଛି ।
ସେହିପରି ଏସସିବି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ଡିନ ଭାବେ କାର୍ଯ୍ୟରତ ପ୍ରଫେସର ଡା. ଲୁସି ଦାସଙ୍କୁ ଏସସିବି ମେଡ଼ିକାଲ ସିଭିଟିଏସ ପ୍ରଫେସର ଭାବେ ବଦଳି କରାଯାଇଛି । ଏଥିସହ ତାଙ୍କୁ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି ।
ଏସସିବି ମେଡ଼ିକାଲ ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ଥିବା ଡା. ନିର୍ମଳ ଚନ୍ଦ୍ର ମହାପାତ୍ର ବାରିପଦା ମେଡ଼ିକାଲ କଲେଜର ଡିନ ଭାବେ କାର୍ଯ୍ୟ କରିବେ ।
ଏସସିବି ଏଫଏମ୍ଟି ବିଭାଗର ମୁଖ୍ୟ ଡା. ଜ୍ୟୋତିଷ ଚନ୍ଦ୍ର ଚୌଧୁରୀଙ୍କୁ ଏସସିବି ମେଡ଼ିକାଲ ଅଧିକ୍ଷକ ଭାବେ ନିଯୁକ୍ତ କରାଯାଇଛି ।
ସୁନ୍ଦରଗଡ଼ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ଅସ୍ଥିଶଲ୍ୟ ବିଭାଗ ପ୍ରଫେସର ଡା. ସତ୍ୟଜିତ ରାୟଙ୍କୁ ଏସସିବି ଅସ୍ଥିଶଲ୍ୟ ବିଭାଗ ପ୍ରଫେସର ଭାବେ ଦାୟିତ୍ୱ ଦିଆଯାଇଛି ।
ଏଥିସହ ଏସସିବି ଡେପୁଟେସନରେ ଥିବା ବ୍ରହ୍ମପୁର ମେଡ଼ିକାଲ କଲେଜ ଅସ୍ଥିଶଲ୍ୟ ବିଭାଗ ସହଯୋଗୀ ପ୍ରଫେସର ଡା. ତାପସ କୁମାର ପାଣିଗ୍ରାହୀଙ୍କୁ ସୁନ୍ଦରଗଡ଼ ମେଡ଼ିକାଲ କଲେଜକୁ ବଦଳି କରାଯାଇଛି ।