ପ.ବଙ୍ଗରେ କାଳବୈଶାଖୀ, ୭ ମୃତ
ଶୁକ୍ରବାର ଅପରାହ୍ନରେ ପ୍ରବଳ ଝଡ଼ବର୍ଷା (କାଳବୈଶାଖୀ) ସୃଷ୍ଟି ଯୋଗୁଁ କଲକାତା ସହ ପାର୍ଶବର୍ତୀ ଜିଲାଗୁଡ଼ିକରେ ବହୁ ପରିମାଣର କ୍ଷୟକ୍ଷତି ଘଟିଛି ।
ଦକ୍ଷିଣବଙ୍ଗର ଏକାଧିକ ଜିଲାରେ ଝଡ଼ ଓ ବଜ୍ରପାତରେ କେତେକଙ୍କ ମୃତ୍ୟୁ ମଧ୍ୟ ଘଟିଛି । ଝଡ଼ବର୍ଷା ପରେ ଶୁକ୍ରବାର ରାଜ୍ୟ ସଚିବାଳୟ ‘ନବାନ୍ନ’ରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଁ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ କହିଛନ୍ତି ଶୁକ୍ରବାର ଝଡ଼ବର୍ଷାରେ ମୋଟ ୭ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଏହି ଦୁର୍ବିପାକରେ ଯେଉଁମାନେ ଆହତ ହୋଇ ହାସପାତାଳରେ ଭର୍ତି ହୋଇଛନ୍ତି ସେମାନଙ୍କ ବିଷୟକୁ ମଧ୍ୟ ବିବେଚନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।
ମୂଳତଃ ଦୁଇ ୨୪ପ୍ରଗଣା, ହାଓଡ଼ା, ହୁଗୁଳି, ମେଦିନୀପୁର, ପୁରୁଲିଆରେ ବହୁ ପରିମାଣର କ୍ଷୟକ୍ଷତି ଘଟିଛି ବୋଲି ନବାନ୍ନ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି କଲକାତା ପୌର ଇଲାକାରେ ମଧ୍ୟ କ୍ଷୟକ୍ଷତି ଘଟିଛି । ପ୍ରବଳ ଝଡ଼ବର୍ଷା ଯୋଗୁଁ ବିମାନ ବନ୍ଦରରେ ବିମାନ ଚଳାଚଳ ଓ ହାଓଡ଼ା ଏବଂ ସିଆଲଦହ ଷ୍ଟେସନରେ ରେଳ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ତେବେ ବିଭାଗୀୟ ପ୍ରଶାସନର ତତ୍ପରତା ଯୋଗୁଁ ପରିସ୍ଥିତି ଶୀଘ୍ର ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି ।