ଶୀତଳ ବିଶ୍ୱର ସର୍ବଶ୍ରେଷ୍ଠ ପାରା ତୀରନ୍ଦାଜ
ଭାରତର ଶୀତଳ ଦେବୀଙ୍କୁ ୨୦୨୫ ମସିହା ପାଇଁ ସର୍ବଶ୍ରେଷ୍ଠ ପାରା ତୀରନ୍ଦାଜ ଭାବେ ବିଶ୍ୱ ତୀରନ୍ଦାଜୀ ମହାସଂଘ (ୱାର୍ଲଡ ଆର୍ଚେରୀ) ଘୋଷଣା କରିଛି ।
ଜମ୍ମୁ-କାଶ୍ମୀରର ୧୯ବର୍ଷ ବୟସ୍କା ଶୀତଳ ଦେବୀ ପ୍ରଥମ ଦୁଇ ହାତ ନଥିବା ମହିଳା ତୀରନ୍ଦାଜ ଭାବେ ବିଶ୍ୱ ପାରା ତୀରନ୍ଦାଜୀ ଚମ୍ପିଆନସିପରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ ।
ଗତବର୍ଷ ଦକ୍ଷିଣ କୋରିଆର ଗାଙ୍ଗଜୁରେ ଆୟୋଜିତ ଚମ୍ପିଆନସିପରେ ଶୀତଳ ସ୍ୱର୍ଣ୍ଣପଦକ ଜିତି ଇତିହାସ ସୃଷ୍ଟି କରିଥିଲେ । ପରେ ଶୀତଳା ବିଶ୍ୱ ଚମ୍ପିଆନସିପରେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ ।
ସେ ମହିଳା ଦଳଗତ ବର୍ଗରେ ରୌପ୍ୟ ଓ ମିଶ୍ରିତ ଦଳଗତ ବର୍ଗରେ କାଂସ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ ।
ଏହାକୁ ଛାଡ଼ି ଶୀତଳ ପ୍ୟାରିସ ପାରା ଅଲିମ୍ପିକ୍ସରେ ଦଳଗତ କାଂସ୍ୟ ମଧ୍ୟ ବିଜୟୀ ଅଟନ୍ତି । ୨୦୨୨ ଓ ୨୦୨୩ ଏସିୟ ଚମ୍ପିଆନସିପରେ ଶୀତଳ ରୌପ୍ୟ ପଦକ ବିଜୟୀ ହୋଇଥିଲେ ।
ଏପରି କୃତୀତ୍ୱ ପାଇଁ ସେ ଅର୍ଜୁନ ପୁରସ୍କାର ମଧ୍ୟ ପାଇଛନ୍ତି । ବିନା ଦୁଇ ହାତରେ ଜନ୍ମ ନେଇଥିବା ଶୀତଳ ଦେବୀ ପିଲାଦିନୁ ତାଙ୍କ ପାଦ, ଗୋଡ଼ ଓ କାନ୍ଧକୁ ବ୍ୟବହାର କରି ତୀରଚାଳନା କରି ଦେଶ ପାଇଁ ଏକାଧିକ ପଦକ ଆଣିବାରେ ସଫଳ ହୋଇଛନ୍ତି ।