ଦିଲ୍ଲୀରେ ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ
ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଏକ ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଛି ।
ପଚରାଉଚରା ସମୟରେ ସବିର ଅହମ୍ମଦ ଲୋନ ନାମକ ଅଭିଯୁକ୍ତ ରାଜଧାନୀର ପ୍ରମୁଖ ଧାର୍ମିକ ଓ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକର ଅସୁନ୍ଧାନ ସମେତ ନିରୀକ୍ଷଣ କାର୍ଯ୍ୟକଳାପ ବିଷୟରେ ଉଦ୍ବେଗଜନକ ବିବରଣୀ ପ୍ରକାଶ କରିଥିଲା ।
ଆତଙ୍କବାଦୀଙ୍କ ନିଶାନରେ ଥିବା ସ୍ଥାନଗୁଡ଼ିକ ମଧ୍ୟରେ କାଲକାଜୀ ମନ୍ଦିର, ଲୋଟସ ମନ୍ଦିର, ଛତରପୁର ମନ୍ଦିର ଆଦି ରହିଛି । ଅନୁସନ୍ଧାନକାରୀମାନେ ବିଶ୍ୱାସ କରନ୍ତି ଯେ ଲୋନ ଏହି ସ୍ଥାନଗୁଡ଼ିକର ଭିଡ଼ିଓ ରେକର୍ଡ କରିଥିଲା ଏବଂ ସେଗୁଡ଼ିକୁ ପାକିସ୍ତାନରେ ଥିବା ହ୍ୟାଣ୍ଡଲରମାନଙ୍କ ପାଖକୁ ପଠାଇଥିଲା ।
ଦିଲ୍ଲୀର ଅନ୍ୟତମ ବ୍ୟସ୍ତବହୁଳ ବାଣିଜ୍ୟିକ ଜିଲା କନ୍ନଟ ପ୍ଲେସ ଓ ଏହାର ଆଖପାଖରେ କରାଯାଇଥିବା ଅନୁସନ୍ଧାନକୁ ନେଇ ସୁରକ୍ଷା ଏଜେନ୍ସିମାନେ ଚିନ୍ତିତ ରହିଛନ୍ତି, ଯାହା ଜନଗହଳିପୂର୍ଣ୍ଣ ବେସାମରିକ ଅଂଚଳକୁ ଟାର୍ଗେଟ କରିବା ପାଇଁ ଏକ ବ୍ୟାପକ ଯୋଜନାକୁ ଦର୍ଶାଉଛି ।
ପଚରାଉଚରାରୁ ଜଣାପଡ଼ିଛି ଯେ ଗିରଫ ଦୁର୍ବୃତ ଲସ୍କର କାର୍ଯ୍ୟକାର୍ତାଙ୍କ ସହ ସମନ୍ୱୟ ରକ୍ଷା କରିବା ସହ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଇଂଟର-ସର୍ଭିସେସ ଇଂଟେଲିଜେନ୍ସ (ଆଇଏସଆଇ) ସହିତ ସମ୍ପର୍କରେ ଥିଲା । ସୂତ୍ରରୁ ଆହୁରି ଜଣାପଡ଼ିଛି ଯେ ବାଂଲାଦେଶରେ ଏକ ନୂତନ ଆତଙ୍କବାଦୀ ସଂଗଠନ ପ୍ରତିଷ୍ଠା କରିବାକୁ ଉଦ୍ୟମ ଚାଲିଛି, ଯାହା ଆଂଚଳିକ ସୁରକ୍ଷା ଚିନ୍ତା ସୃଷ୍ଟି କରୁଛି ।
କର୍ତୃପକ୍ଷ ଦିଲ୍ଲୀର ସମ୍ବେଦନଶୀଳ ସ୍ଥାନରେ ନିରୀକ୍ଷଣ ଓ ସୁରକ୍ଷା ପଦକ୍ଷେପକୁ ଜୋରଦାର କରିଛନ୍ତି ।
ଆତଙ୍କବାଦୀଙ୍କ ନେଟୱାର୍କକୁ ଭାଙ୍ଗିବା ଓ କୌଣସି ସମ୍ଭାବ୍ୟ ବିପଦକୁ ରୋକିବା ପାଇଁ ଏଜେନ୍ସିଗୁଡ଼ିକ କାର୍ଯ୍ୟ କରିବା ସହ ଅନୁସନ୍ଧାନ ଜାରି ରଖିଛନ୍ତି ।