ବାଙ୍କୀରେ ବିଧାୟକ ଦେବୀଙ୍କ ଶକ୍ତି ପ୍ରଦର୍ଶନ
ବିଜୁ ଲିଗାସୀକୁ ସମ୍ମାନ, ହାତରେ ବିଜୁବାବୁଙ୍କ ପତାକା
ଗତ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନରେ ବିଜେଡି ସୁପ୍ରମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଓ ଦଳୀୟ ହ୍ୱିପ ସତ୍ୱେ ଦଳର ୮ ଜଣ ବିଧାୟକ କ୍ରସ ଭୋଟିଂ କରିଥିଲେ ।
ଫଳରେ ୪ର୍ଥ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି-କଂଗ୍ରେସର କମନ ପ୍ରାର୍ଥୀ ଦତେଶ୍ୱର ହୋତାଙ୍କୁ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ଠାରୁ ପରାସ୍ତ ହେବାକୁ ପଡ଼ିଛି ।
ଏହାକୁ ନେଇ ସମଗ୍ର ରାଜ୍ୟ ତଥା ଦେଶରେ ଚର୍ଚା ଜୋର୍ ଧରିଥିବାବେଳେ ଖୋଦ ନବୀନ ବାବୁ କିଂକର୍ତବ୍ୟବିମୂଢ଼ ହୋଇଯାଇଛନ୍ତି । ଏଣୁ ସେ ରକ୍ତଚାଉଳ ଚୋବାଇ ଦଳୀୟ ହ୍ୱିପ୍ ମାନିନଥିବା ଅମାନିଆ ବିଧାୟକମାନଙ୍କୁ ଦଳରୁ ନିଲମ୍ବନ କରିବା ପାଇଁ ନିର୍ଦେଶ ଦେଇଛନ୍ତି ।
ଫଳସ୍ୱରୂପ କ୍ରସ ଭୋଟିଂ କରିଥିବା ବାଙ୍କୀର ଯୁବ ବିଜେଡ଼ି ବିଧାୟକ ଦେବୀ ରଂଜନ ତି୍ରପାଠୀ ଦଳରୁ ବିଦା ହୋଇଛନ୍ତି ।
ଅନ୍ୟପଟେ କ୍ରସ ଭୋଟିଂ ପରେ ବିଜେଡି କର୍ମୀ ଓ ନେତାଙ୍କ ରାଗର ଶିକାର ହୋଇଥିଲେ ଦେବୀ ।
ତାଙ୍କ ଘର ସମ୍ମୁଖରେ ବିଜେଡି କର୍ମୀମାନେ ପ୍ରବଳ ହୋହଲ୍ଲା କରିବା ସହ କେବଳ ଟଂକା ପାଇଁ ଦେବୀ ଏଭଳି ଘୋଡ଼ାବେପାରରେ ସାମିଲ ହୋଇ ଦିଲୀପଙ୍କୁ ଭୋଟ ଦେଇ ଜିତାଇଛନ୍ତି ବୋଲି ଦୋଷାରୋପ କରିଥିଲେ । କେବଳ ସେତିିକି ନୁହେଁ ସେମାନେ ଦେବୀଙ୍କ ଘର ସମ୍ମୁଖରେ ବିଧାୟକଙ୍କ କୁଶପୁତଳିକା ମଧ୍ୟ ଦାହ କରିଥିଲେ ।
ତେବେ ଏହାକୁ ନେଇ ଦେବୀ ଆଦୌ ବିବ୍ରତ ନାହାନ୍ତି; ବରଂ ସେ ଅଧିକ ସଂଗଠିତ ହୋଇ ବାଙ୍କୀରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ନିଜର ସମର୍ଥକ ଓ ସହଯୋଗୀଙ୍କୁ ନେଇ ସେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନିଜର ନିର୍ବାଚନ କ୍ଷେକ୍ର ବାଙ୍କୀ ପରିକ୍ରମା କରିଥିଲେ ।
ଏଥିସହ ସେ ଟଙ୍କା ପାଇଁ ନୁହେଁ ବରଂ ପ୍ରବାଦ ପୁରୁଷ ବିଜୁ ପଟ୍ଟାୟକଙ୍କୁ ସମ୍ମାନ ଜଣାଇ ଏଭଳି କରିଛନ୍ତି ବୋଲି କହିଥିଲେ । ବିଜୁ ଲିଗାସୀକୁ ସେ ସଦା ସର୍ବଦା ସମ୍ମାନ ଜଣାଇ ଆସିଛନ୍ତି ।
ବିଜୁ ବାବୁ ପ୍ରକୃତରେ ଓଡ଼ିଶାର ବିକାଶ ଚାହୁଁଥିଲେ; ତେଣୁ ସେ ରାଜ୍ୟସଭା ନିର୍ବାଚନରେ ନିଜର ନିବିବେକାନୁମୋଦିତ ଭୋଟ ଦେଇଥିବା ମିଡିଆ ସମ୍ମୁଖରେ ପ୍ରକାଶ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଏବେ ବେଳ ଆସିଗଲା କିଏ ଅସଲ ବିଜୁ ବାବୁଙ୍କୁ ଭଲ ପାଉଛନ୍ତି ଆଉ କିଏ କେବଳ ନିଜର ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ବିଜେଡିରେ ରହିଛନ୍ତି ତାହା ପ୍ରମାଣିତ ହେବ ।
ମୁଁ ପୂର୍ବରୁ ମଧ୍ୟ ସ୍ୱର୍ଗତ ବିଜୁ ବାବୁଙ୍କୁ ସମ୍ମାନ ଦେଉଥିଲେ ଏବଂ ତାଙ୍କ ଆବର୍ତମାନରେ ମଧ୍ୟ ତାଙ୍କୁ ସମ୍ମାନ ଜଣାଇଛନ୍ତି ବୋଲି କହିଛନ୍ତି ।
ତେବେ ବାଙ୍କୀରେ ଦେବୀଙ୍କ ଶକ୍ତି ପ୍ରଦର୍ଶନ ପରେ ରାଜ୍ୟର ରାଜନୈତିକ ଚିତ୍ର ଆଗକୁ ନିଶ୍ଚୟ ବଦଳିବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିବା ଆରମ୍ଭ କରିଦେଇଛନ୍ତି ।