ସଂଗୀତଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ଦେହାନ୍ତ
ନିଜର ସୁମଧୁର କଣ୍ଠସ୍ୱରରେ ଲକ୍ଷଲକ୍ଷ ହୃଦୟକୁ ଛୁଇଁଥିବା କିମ୍ବଦନ୍ତୀ ଗାୟିକା ସୁମନ କଲ୍ୟାଣପୁରଙ୍କ ୮୯ବର୍ଷ ବୟସରଙ୍କ ଦେହାନ୍ତ ହୋଇଯାଇଛି ।
ଲୋଖଣ୍ଡୱାଲାସ୍ଥିତ ତାଙ୍କ ବାସଭବନରେ ତାଙ୍କର ବିୟୋଗ ଘଟିଛି । ତାଙ୍କ ମୃତ୍ୟୁରେ ସଂଗୀତପ୍ରେମୀ ଓ ଚଳଚ୍ଚିତ୍ର ଶିଳ୍ପୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ‘ନା ନା କରତେ ପ୍ୟାର ତୁମ ହିଁ ସେ’ ଏବଂ ‘ଆଜକଲ ତେରେ ମେରେ ପ୍ୟାର କେ ଚର୍ଚା’ ଭଳି ଗୀତ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା ।
ତାଙ୍କର ମଧୁର କଣ୍ଠସ୍ୱର ଏବଂ ଗାୟନ ଶୈଳୀ ତାଙ୍କୁ ତାଙ୍କ ସମୟରେ ସବୁଠାରୁ ଜଣେ ସୁମଧୁର ଗାୟିକା ଭାବେ ପରିଚିତ ଲାଭ କରାଇଥିଲା । ସଂଗୀତଶିଳ୍ପୀ ସୁମନ କଲ୍ୟାଣପୁର ୧୯୩୭ ମସିହା ଜାନୁଆରୀ ୨୮ରେ ବାଂଲାଦେଶରେ ଢାକାରେ ଜନ୍ମଗ୍ରହଣ କରିଥିଲେ । ଯାହାକି ସେତେବେଳେ ଅବିଭକ୍ତ ବାଂଲାର ଅଂଶ ଥିଲା । ତାଙ୍କ ଜୀବନକାଳରେ ସେ ବଙ୍ଗଳା, ହିନ୍ଦୀ, ମରାଠି, ଆସାମୀ, ଗୁଜୁରାଟି, କନ୍ନଡ, ଭୋଜପୁରୀ, ରାଜସ୍ତାନୀ, ଓଡ଼ିଆ ଓ ପଞ୍ଜାବୀ ଭାଷା ବହୁ ଗୀତ ଗାନ କରିଛନ୍ତି ।
କଳା ଏବଂ ସଂଗୀତ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ଭାରତ ସରକାର ତାଙ୍କୁ ୨୦୨୩ରେ ମର୍ଯ୍ୟାଦାଜନକ ପଦ୍ମଭୂଷଣରେ ସମ୍ମାନିତ କରିଥିଲେ ।
୧୯୭୪ ମସିହାରେ ସେ ‘ରେଶମ କି ଡୋରି’ ଚଳଚ୍ଚିତ୍ର ପାଇଁ ‘ବହନା ନେ ଭି କି କଲାଇ’ ଗୀତ ଗାଇ ଲୋକପ୍ରିୟ ହୋଇଥିଲେ । ଯାହାପାଇଁ ତାଙ୍କୁ ୧୯୭୫ ମସିହାରେ ଫିଲ୍ମଫେୟାର ଶ୍ରେଷ୍ଠ ମହିଳା ପ୍ଲେବ୍ୟାକ ଗାୟିକା ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ସେହିପରି ୧୯୫୮ ମସିହାରେ ମୁମ୍ବାଇର ଜଣେ ବ୍ୟବସାୟୀ ରାମାନନ୍ଦ କଲ୍ୟାଣପୁରକୁ ସେ ବିବାହ କରିଥିଲେ ।