ଘୋଷ ଯାତ୍ରା ପାଇଁ ଚଳଚଂଚଳ ଶ୍ରୀକ୍ଷେତ୍ର
ନୀତିକାନ୍ତି ଠିକ ଭାବେ ଚାଲିଛି : ଶ୍ରୀମନ୍ଦିର ପ୍ରଶାସନ
ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ।
ବଡ଼ ଭାଇ ବଳଭଦ୍ର ଓ ଗେହ୍ଲା ଭଉଣୀ ସୁଭଦ୍ରାଙ୍କ ସହିତ ରଥାରୂଢ଼ ହେବେ କାଳିଆ ସାଆନ୍ତ ।
କୋଟି କୋଟି ଭକ୍ତଙ୍କୁ ଦେଖା ଦେଇ ତାଙ୍କ ଗୁହାରି ଶୁଣିବେ । ଶରଣ ଓ ସୁରକ୍ଷାର ଅଭୟ ପ୍ରଦାନ କରିବେ ।
ଏଥିପାଇଁ ଚଳଚଂଚଳ ହୋଇପଡ଼ିଛି ପୁରୀ ଶ୍ରୀକ୍ଷେତ୍ର ।
ବଡ଼ଦାଣ୍ଡରେ ଏବେ ଠାରୁ ଆରମ୍ଭ ହୋଇସାରିଛି ଭକ୍ତଙ୍କ ଆଗମନ ।
ଆଜ୍ଞାମାଳ ବିଜେ ପରେ ସମସ୍ତ ନୀତିକାନ୍ତି ଠିକ ଭାବେ ଚାଲିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।
ବୁଧବାର ଆଜ୍ଞାମାଳ ପାଇବା ପରେ ତିନି ରଥ ବିଜେ ନୀତି ଆରମ୍ଭ ହୋଇଛି ।
ସିଂହଦ୍ୱାର ଅଭିମୁଖେ ଯାଇଛନ୍ତି ତିନି ରଥ ।
ବୁଧବାର ସକାଳୁ ଶ୍ରୀଜୀଉମାନଙ୍କ ପରମ୍ପରାନୁଯାୟୀ ଉଭା ନୀତିକାନ୍ତି କରାଯାଇଥିଲା ।
ତେବେ ଚଳିତ ବର୍ଷ କେହି ଅନଧିକୃତ ବ୍ୟକ୍ତି ରଥ ଉପରକୁ ଚଢ଼ିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛି ।
ଏଥିସହ ରଥ ଉପରେ ମୋବାଇଲ ନେବାକୁ ମନା କରାଯାଇଛି ।
ସବୁର ଭିଡିଓଗ୍ରାଫି କରାଯିବ ।
ଯେଉଁମାନେ ଏହି ନିୟମକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚେତାଇ ଦେଇଛନ୍ତି ।