ଶୀତଳା ମାଙ୍କ ମନ୍ଦିରରେ ଦଳଚକଟା, ୮ମୃତ
ବିହାରର ନାଳନ୍ଦା ଜିଲାର ଶୀତଳା ମାଙ୍କ ମନ୍ଦିରରେ ଦଳଚକଟା ହୋଇ ମଙ୍ଗଳବାର ୮ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିବା ସହ ଅନେକେ ଅସୁସ୍ଥ ଓ ଆହତ ଅବସ୍ଥାରେ ହାସପାତାଳରେ ଚିକିତ୍ସାଧୀନ ଅଛନ୍ତି ।
ଖବର ପାଇ ପୁଲିସ ଏବଂ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।
ସେହିପରି ମନ୍ଦିର ପରିସର ଯେପରି ସ୍ୱାଭାବିକ ହୁଏ ସେଥିପ୍ରତି ପୁଲିସ ପ୍ରଶାସନ ଗୁରୁତ୍ୱ ଦେଇଛି । ଜଣାପଡ଼ିଛି ଯେ ଦୀପନଗର ଅଂଚଳରେ ଅବସ୍ଥିତ ଶୀତଳା ମାଆଙ୍କ ମନ୍ଦିରରେ ଏକ ମେଳା ଓ ପୂଜା ଦର୍ଶନ ଚାଲିଥିଲା ।
ଭକ୍ତ ଓ ଦର୍ଶକଙ୍କ ଭିଡ଼ ଏତେଟା ହୋଇଯାଇଥିଲା ଯେ ଦଳଚକଟା ଆରମ୍ଭ ହୋଇଯାଇଥିଲା । ଯାହାଦ୍ୱାରା ଅନେକେ ଅସୁସ୍ଥ ହେବା ସହ ଆହତ ହୋଇଥିଲେ ।
ଆହତ ଅବସ୍ଥାରେ କେତେକଙ୍କୁ ଉଦ୍ଧାର କରାଯାଇଥିଲେ ସୁଦ୍ଧା ସେମାନଙ୍କ ମଧ୍ୟରୁ ୮ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ ମଙ୍ଗଳବାର ଚୈତ୍ର ମଙ୍କସର ଶେଷ ମଙ୍ଗଳବାର ଥିଲା । ଏହି ଅବସରରେ ଦର୍ଶନ ଓ ପୂଜା ପାଇଁ ଶୀତଳା ମାଆଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ଼ ବଢ଼ିଥିଲା ।
ସେଠାରେ ଅନୁଷ୍ଠିତ ମେଳା ଓ ଦର୍ଶନ ସକାଶେ ଯଥାଯଥ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇ ନଥିଲା । ସେହି କାରଣରୁ ଦଳଚକଟା ଆରମ୍ଭ ହୋଇଥିଲା ଏବଂ ବହୁ ଭକ୍ତ ଆହତ ହେବା ସହ ୮ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସ୍ଥାନୀୟ ଲୋକଙ୍କ ଅଭିଯୋଗ ।
ତେବେ ଘଟଣା ପଛରେ କୌଣସି ରହସ୍ୟ ଲୁଚି ରହିଛି କି ନାହିଁ ତାହା ଜାଣିବା ପାଇଁ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।