କଟକରେ ରାଜ୍ୟ ପୁଲିସର ପ୍ରତିଷ୍ଠା ଦିବସ
ଆଗାମୀ ଦିନରେ ଓଡ଼ିଶାକୁ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ଓଡ଼ିଶା ପୁଲିସ ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରୁଛି ବୋଲି ଆଜି କଟକରେ ଅନୁଷ୍ଠିତ ରାଜ୍ୟ ପୁଲିସର ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି ।
ବୁଧବାର ପୂର୍ବାହ୍ନରେ କଟକର ବକ୍ସିବଜାରସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଆୟୋଜିତ ଓଡ଼ିଶା ପୁଲିସର ୯୧ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଡିଜିପି ଶ୍ରୀ ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ।
ଏଥିସହ ପୁଲିସ ସେବାରେ ଉଲ୍ଲେଖନୀୟ କୃତୀତ୍ୱ ପ୍ରଦର୍ଶନ କରିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ ।
ପ୍ରଥମେ ସହିଦ ପୁଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।
୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ନୂତନ ଓଡ଼ିଶା ପ୍ରଦେଶ ଗଠନ ସହ ଓଡ଼ିଶା ପୁଲିସର ସ୍ଥାପନା ହୋଇଥିଲା ।
ଗତ ୯୧ବର୍ଷର ଏହି ଯାତ୍ରା ସଂଘର୍ଷ, ସମର୍ପଣ ଓ ସଫଳତାର ଏକ ଗୌରବମୟ ଅଧ୍ୟାୟ ବୋଲି ଡିଜିପି ଉଲ୍ଲେଖ କରିଥିଲେ ।
ମାଓବାଦୀ ଦମନ କ୍ଷେତ୍ରରେ ଓଡ଼ିଶା ପୁଲିସର ସଫଳତା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ । ସାଇବର ଅପରାଧ ସମ୍ପର୍କରେ ସେ କହିଥିଲେ ଯେ ଓଡ଼ିଶା ପୁଲିସ ଏଆଇ ଓ ଡାଟା ଆନାଲିଟିକ୍ସ ପରି ଆଧୁନିକ ପ୍ରଯୁକ୍ତିର ସହାୟତାରେ ସଫଳତାର ସହିତ ଏହାର ମୁକାବିଲା କରୁଛି ।
ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ଓଡ଼ିଶା ପୁଲିସର ସଫଳତା ମଧ୍ୟ ସେ ପ୍ରଶଂସା କରିଥିଲେ । ଏହି ଅବସରରେ ଡିଜିପି ନୂତନ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଲାଗୁ ହେବା ପରେ ଓଡ଼ିଶା ପୁଲିସର ତଦନ୍ତ ପ୍ରକ୍ରିୟା ଓ ବୃତିଗତ ଦକ୍ଷତାରେ ଆସିଥିବା ଲକ୍ଷଣୀୟ ପରିବର୍ତନ ସମ୍ପର୍କରେ ଉଲ୍ଲେଖ କରିଥିଲେ ।
କ୍ରୀଡ଼ା କ୍ଷେତ୍ରରେ ପୁଲିସ ବାହିନୀର ସଫଳତା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସେ କହିଥିଲେ ଯେ ବିଗତ ଏବଂ ଚଳିତ ବର୍ଷରେ ଓଡ଼ିଶା ପୁଲିସର କ୍ରୀଡ଼ାବିତମାନେ ସର୍ବଭାରତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ବୃଦ୍ଧି କରିଛନ୍ତି ।