ଏପ୍ରିଲରେ ତେଜସ ମାର୍କ-୧ଏ ପରୀକ୍ଷଣ!
ହିନ୍ଦୁ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ) ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୮ଟି ତେଜସ ମାର୍କ-୧ଏ ବିମାନ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି ।
ଏହି ବିମାନଗୁଡ଼ିକ ଏବେ ଭାରତୀୟ ବାୟୁସେନା (ଆଇଏଏଫ)ର ପରୀକ୍ଷଣ ପାଇଁ ଅପେକ୍ଷା କରିଛନ୍ତି । ଆସନ୍ତା ଏପ୍ରିଲରେ ବାୟୁସେନା ଏହାର ପ୍ରଥମ ପାଂଚଟି ତେଜସ ମାର୍କ-୧ଏ ବିମାନର ପୂର୍ଣ୍ଣାଙ୍ଗ ଯାଂଚ କରିବ ।
ବାୟୁସେନା ସୂତ୍ରରୁ ଜଣାପଡ଼ିଛି ଯେ ବିମାନଗୁଡ଼ିକର ଲଢ଼ୁଆ କ୍ଷମତାର ସମ୍ପୂର୍ଣ୍ଣ ଯାଂଚ କରାଯିବା ପରେ ହିଁ ସେଗୁଡ଼ିକ ଆନୁଷ୍ଠାନିକ ଭାବେ ସାମିଲ କରାଯିବ ।
ଏହି ପରୀକ୍ଷଣରେ ମୁଖ୍ୟତଃ ମିସାଇଲ ଫାୟରିଂ, ରାଡାର-ଇଡବ୍ଲ୍ୟୁ ଇଂଟିଗ୍ରେସନ ଏବଂ ଅସ୍ତ୍ରଶସ୍ତ୍ର ପ୍ରଣାଳୀର ପୁଙ୍ଖାନୁପୁଙ୍ଖ ଯାଂଚ କରାଯିବ । ବିମାନଗୁଡ଼ିକ ବାୟୁସେନାର ସମସ୍ତ ମାନଦଣ୍ଡ ପୂରଣ କରୁଛି କି ନାହିଁ, ତାହା ନିଶ୍ଚିତ କରିବା ପାଇଁ ଏହି ଟ୍ରାୟଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।
ଭାରତୀୟ ବାୟୁସେନା ପକ୍ଷରୁ ଆହୁରି ସ୍ପଷ୍ଟ କରାଯାଇଛି ଯେ ତେଜସ-୧ଏ ବିମାନକୁ ବାୟୁସେନାର ସାମିଲ କରିବା ପୂର୍ବରୁ ତିନିଟି ପ୍ରମୁଖ ଲଢ଼ୁଆ କ୍ଷମତା ଉପରେ କୌଣସି ପ୍ରକାରର ଆପୋଷ ବୁଝାମଣା କରାଯିବ ନାହିଁ ।
ବାୟୁସେନା ଏହାର ପ୍ରସ୍ତୁତି ତଥା ଶକ୍ତିକୁ କୌଣସି ପରିସ୍ଥିତିରେ ବି ଦୁର୍ବଳ ହେବାକୁ ଦେବ ନାହିଁ । ତେଣୁ ଏହି ଆଧୁନିକ ଯୁଦ୍ଧ ବିମାନଗୁଡ଼ିକର ଯାଂଚ ପ୍ରକ୍ରିୟା ସଫଳ ହେବା ପରେ ଏଗୁଡ଼ିକ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ଆକାଶ କରାଯାଉଛି ।