କୋଣାର୍କରୁ ବାଲି କଢ଼ା ଅନୁଧ୍ୟାନ କଲା ଏଏସଆଇ
କୋଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନ ଗର୍ଭଗୃହରୁ ବାଲି କଢ଼ା ନିମନ୍ତେ ଏଏସଆଇ ଡିଜି ୟଦୁବୀର ସିଂ ରାୱତ ଶନିବାର ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଏଏସଆଇ ମହାନିର୍ଦେଶକଙ୍କ ସହିତ ସୂର୍ଯ୍ୟ ମନ୍ଦିର କୋର କମିଟି ସଦସ୍ୟ, ବୈଷୟିକ ଦଳ, ଆଇଆଇଟି ଦିଲ୍ଲୀ ଓ ଆଇଆଇଟି ମାଡ୍ରାସର ପ୍ରଫେସରମାନେ ସାମିଲ ହୋଇ ବାଲି କାଢ଼ିବା ପାଇଁ ବିଭିନ୍ନ ଦିଗରୁ ସ୍ଥିତି ଅନୁଧ୍ୟାନ କରିଥିଲେ ।
ଏଏସଆଇ ମହାନିର୍ଦେଶକଙ୍କ ସମେତ ଏହି ବିଶେଷଜ୍ଞ ଦଳ ସୂର୍ଯ୍ୟ ମନ୍ଦିରର ପଶ୍ଚିମ ଦ୍ୱାରର ୮୦ଫୁଟ ଉପରେ ପ୍ରଥମ ପିଢ଼ିରେ ମନ୍ଦିର ଗର୍ଭଗୃହ ମଧ୍ୟକୁ ହୋଇଥିବା ଦୁଇଟି କୋର ଡ୍ରିଲର ସ୍ଥାନକୁ ଦେଖିବା ସହ ଏହାର ସ୍ଥିତି ଯାଂଚ କରିଥିଲେ । ସୂର୍ଯ୍ୟମନ୍ଦିର ଗର୍ଭ ଗୃହରୁ ବାଲି କାଢ଼ିବା ପ୍ରକ୍ରିୟା ସହଜ ସାଧ୍ୟ ନୁହେଁ ।
ଏଥିପାଇଁ ସମୟ ଲାଗିବା ସହିତ ବୈଷୟିକ ଦଳ ଏଥିପାଇଁ ନିଷ୍ପତି ଗ୍ରହଣ କରିବେ ବୋଲି ଏଏସଆଇ ମହାନିର୍ଦେଶକ ସୂଚନା ଦେଇଛନ୍ତି ।
ଗର୍ଭଗୃହର ସ୍ଥିତି ଠିକ ଥିବାବେଳେ ଆସ୍ତେ ଆସ୍ତେ ଏହି ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ଶ୍ରୀ ରାୱତ ମତବ୍ୟକ୍ତ କରିଛନ୍ତି । ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ କୋର କମିଟି ସଦସ୍ୟ ଇଂ. ଅଶୋକ ବାସା, ପ୍ରତ୍ନତତ୍ୱବିତ ଡ. ଜୀବନ ପଟ୍ଟନାୟକ, ଡ. ସୁନୀଲ ପଟ୍ଟନାୟକ, ଡ. ଏନସି ପାଲ, ଏଏସଆଇ ପୁରୀ ସର୍କଲ ସୁପରିଟେଣ୍ଡେଂଟ ଡ. ମିଳନ କୁମାର ଚାୱେଲ, ସୁପରିଟେଣ୍ଡେଂଟ ଇଂ. ଚିତରଞ୍ଜନ ଦାସ, ଇ. ଲୋକନାଥ ମହାରଣା, ଆଇଆଇଟି ମାଦ୍ରାସର ପ୍ରଫେସର ଅରୁଣ ମେନନ, ଏଏସଆଇ କେମିଷ୍ଟି ସୁପରିଟେଣ୍ଡେଂଟ ଏସଏସ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।