କେରଳରେ ପ୍ରବଳ ବର୍ଷା : ୫ ଜିଲାକୁ ରେଡ ଆଲର୍ଟ ଜାର
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପରେ କେରଳ (କେରଳମ)ର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଯାହାଦ୍ୱାରା ବହୁ ଅଂଚଳ ଜଳବନ୍ଦୀ ହୋଇପଡ଼ିଛି । ଶନିବାର ସକାଳେ ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହ ବହୁ ଘର କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟର ବିିଭିନ୍ନ ଅଂଚଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି ।
ଅଗ୍ନିଶମ ସେବା ଅଧିକାରୀଙ୍କ ବକ୍ତବ୍ୟ ଅନୁଯାୟୀ ତ୍ରିସୁର ଜିଲାର ମାନାଲୁରରେ ଜଣେ ୨୯ବର୍ଷୀୟ ଯୁବକ ଏକ ଅସ୍ଥାୟୀ ଢାଂଚା ତଳେ ଶୋଇଥିବାବେଳେ ଗଛ ଭାଙ୍ଗିପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର ପାଂଚ ଜିଲା ମାଲାପପୁରମ, କୋଝିକୋଡ, ୱାୟାନାଡ଼, କନ୍ନୁର ଓ କାସରଗୋଡ ପାଇଁ ରେଡ ଆଲର୍ଟ ଜାରି କରିଛି । ପଠାନମଥିଟ୍ଟା, କୋଟ୍ଟାୟମ, ଏର୍ଣ୍ଣାକୁଲମ, ଇଡୁକ୍କି, ତ୍ରିସୁର ଓ ପଲକ୍କଡ ଜିଲା ପାଇଁ ଆଇଏମଡି ଅରେଞ୍ଜ ଆଲର୍ଟ ଜାରି କରିଛି ।
ବାକି ତିନିଟି ଜିଲା ପାଇଁ ୟେଲୋ ଆଲର୍ଟ ଜାରି ରହିଛି । ରେଡ ଆଲର୍ଟ ଜାରି ହୋଇଥିବା ଜିଲାରେ ଆସନ୍ତା ୨୪ଘଂଟା ମଧ୍ୟରେ ୨୦ ସେଂଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ପ୍ରବଳ ବର୍ଷା ଯୋଗୁଁ ଜିଲାର ବିଭିନ୍ନ ଅଂଚଳରେ ପ୍ରଶାସନ ପକ୍ଷରୁ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରିବା ସହ ସମୁଦ୍ର, ପାହାଡ଼ିଆ ଓ ଜଙ୍ଗଲ ଆଦି ଅଂଚଳରେ ନ ବୁଲିବା ପାଇଁ ପରାମର୍ଶ ଦିଆଯାଇଛି ।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଜୁନ ୬ରୁ ୯ତାରିଖ ପର୍ଯ୍ୟନ୍ତ କେରଳମ ଓ ମାହେର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଜୁନ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ କେତେକ ଅଂଚଳରେ ପ୍ରବଳ ପବନ ବହିବା ସହ ବର୍ଷା ହୋଇପାରେ ବୋଲି ସତର୍କ କରିଛି ।