ଶାଣିତ ହେଉଛି ବିଜୁ-ଚାଇନା ପ୍ରସଙ୍ଗ
ଦୁବେ ନିଜର ମସ୍ତିଷ୍କ ପରୀକ୍ଷା କରାନ୍ତୁ-ନବୀନ
ଓଡ଼ିଶାର ପ୍ରବାଦ ପୁରୁଷ, ଭାରତୀୟ ବାୟୁସେନାର ଦକ୍ଷ ପାଇଲଟ ଓ ବିଜୁ ଜନତା ଦଳର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ନେଇ ଚାଲିଛି ଏବେ ରାଜନେତାଙ୍କ ବାକଯୁଦ୍ଧ ।
ବିଶେଷ କରି ୧୯୬୨ ମସିହାରେ ଭାରତ ଉପରେ ଚୀନର ଆକ୍ରମଣ ସମୟରେ ସେ ଜଣେ ସିଆଇଏ ଏଜେଂଟ ଭାବେ ଆମେରିକାର ସହାୟତା ନେବାକୁ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ପ୍ରବର୍ତାଇଥିଲେ ବୋଲି ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ତାଙ୍କ ପ୍ରରେଚାନରେ ୧୯୬୨ରେ ଚାରବାଟିଆ ବିମାନଘାଟିକୁ ଆମେରିକା ବାୟୁସେନା ପାଇଁ ଖୋଲିଦିଆଯାଇଥିଲା ବୋଲି ଶ୍ରୀ ଦୁବେ କହିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି ।
ଏହାର ବିରୋଧରେ ରାଜଧାନୀ ଭୁବନେଶ୍ୱରରେ ବିଜେଡି କର୍ମୀମାନେ ପ୍ରବଳ ବିକ୍ଷୋଭ କରିଛନ୍ତି । ସେତିକିରେ କଥା ସରିନି ଖୋଦ୍ ନବୀନ ପଟ୍ଟନାୟକ ମଧ୍ୟ ଏହାକୁ କଟୂ ସମାଲୋଚନା କରିବା ସହ ନିଶିକାନ୍ତଙ୍କ ମୁଣ୍ଡ ଖରାପ ହୋଇଯାଇଛି ।
ସେ ଜଣେ ମେଂଟାଲ, ତୁରନ୍ତ ଜଣେ ମସ୍ତିଷ୍କ ବିଶେଷଜ୍ଞ ବା ଡାକ୍ତରଙ୍କୁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ ବୋଲି ନବୀନ କହିଛନ୍ତି ।
ତେଣେ ବିରୋଧରେ ହଡ଼ବଡ଼େଇ ଯାଇଛନ୍ତି ନିଶିକାନ୍ତ ଦୁବେ । ସେ ତାଙ୍କର ସ୍ୱର ବଦଳାଇ ସ୍ୱର୍ଗତ ବିଜୁବାବୁଙ୍କ ପ୍ରତି ସେ କୌଣସି ଟିପ୍ପଣୀ ଦେଇନାହାନ୍ତି ।
ବରଂ ସେତେବେଳର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ କଂଗ୍ରେସ ପ୍ରତି ସେ ଏହି ଟିପ୍ପଣୀ ଦେଇଥିବା କହିଛନ୍ତି ।
ଅନ୍ୟପଟେ ଏହାକୁ ଦୃଢ଼ ଭାବେ ସମାଲୋଚନା କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ଜୟ ପଣ୍ଡା । ବିଜୁ ଅଂକଲ ଏକ ବିରାଟ ବ୍ୟକ୍ତିତ୍ୱ ଥିଲେ ବୋଲି ସେ ତାଙ୍କ ‘ଏକ୍ସ’ ଆକାଉଂଟରେ ଲେଖିଛନ୍ତି ।
ଭାରତକୁ ମୁକ୍ତ କରିବା ଏବଂ ଓଡ଼ିଶାର ଉନ୍ନତି ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ ଥିଲା ।
ସେ ଜଣେ ଦକ୍ଷ ପାଇଲଟ ଓ ଜଣେ ସଫଳ ଉଦ୍ୟୋଗପତି ଥିବା ସହ ଅନ୍ତର୍ଜାତୀୟ ସମସ୍ୟା ସମଧାନରେ ପାରଙ୍ଗମ ଥିଲେ । ତାଙ୍କର ବୀରତ୍ୱପୂର୍ଣ୍ଣ ମିଶନ, କୂଟନୈତିକ ପଦକ୍ଷେପ ଗଣତନ୍ତ୍ରକୁ ସମୃଦ୍ଧ କରିଛି ।
ତାଙ୍କ ଦେଶପ୍ରେମ ଉପରେ ଆପତି ଉଠାଇବା ହାସ୍ୟାସ୍ପଦ ବୋଲି ସାଂସଦ ବୈଜୟନ୍ତ ଲେଖିଛନ୍ତି ।