ଦିଲ୍ଲୀ ହାଇକୋର୍ଟରେ ସିବିଏସଇ ମାମଲା
ଶିିକ୍ଷାମନ୍ତ୍ରୀ ମାନିଲେ ତ୍ରୁଟି ହୋଇଛି
ଦିଲ୍ଲୀ ହାଇକୋର୍ଟରେ ପହଂଚିଛି ସିବିଏସଇ ମାମଲା । ସିବିଏସଇ ଦ୍ୱାଦଶ ଶ୍ରେଣୀ ଓଏସଏମକୁ ନେଇ ହାଇକୋର୍ଟରେ ପିଟିସନ ଦାୟର ହୋଇଛି ।
ଦିଲ୍ଲୀ ହାଇକୋର୍ଟରେ ଏନଏସୟୁଆଇ ପିଟିସନ ଦାଖଲ କରିଛି ।
ପୋର୍ଟାଲର ସମୟସୀମା ବୃଦ୍ଧି, ପୁନଃମୂଲ୍ୟାୟନ, ଫିଜିକାଲ ଭେରିଫିକେସନ ଦାବି ପାଇଁ ଆବେଦନକାରୀ ଦାବି କରିଛନ୍ତି ।
ତ୍ରୁଟିପୂର୍ଣ୍ଣ ରେଜଲ୍ଟର ପୁନଃସମୀକ୍ଷା ପାଇଁ ପିଟିସନରେ ଉଲ୍ଲେଖ କରାଯାଇଛି । ଭବିଷ୍ୟତରେ ଏପରି ତ୍ରୁଟି ନ ହେବାର ବ୍ୟବସ୍ଥା ପାଇଁ ମଧ୍ୟ ଦାବି କରାଯାଇଛି ।
ଯେଉଁ ପରୀକ୍ଷାର୍ଥୀ ଏହି ତ୍ରୁଟି ଯୋଗୁଁ ପ୍ରଭାବିତ ହୋଇଛନ୍ତି ସେମାନଙ୍କୁ ଉପଯୁକ୍ତ ନଂ ପ୍ରଦାନ ପାଇଁ ଆବେଦନକାରୀ ଦାବି କରିଛନ୍ତି ।
ସୂଚନାଥାଉ କି, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ହଜାର ହଜାର ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ମୂଲ୍ୟାୟନରେ ବଡ଼ ଧରଣର ତ୍ରୁଟି ରହିଥିବା ଅଭିଯୋଗ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁଯାୟୀ, ଡିଜିଟାଲ ଖାତା ଦେଖା ସମୟରେ ଅନେକ ଉତର ସିଟର ପେଜ ଠିକ ଭାବେ ଖୋଲିନଥିଲାବେଳେ ଆଉ କିଛି ପେଜ ଅଧା ଦେଖାଯାଇଥିଲା ।
ଏପରିକି କେତେକ ଛାତ୍ରଛାତ୍ରୀଙ୍କ ହାତଲେଖା ମଧ୍ୟ ବଦଳି ଯାଇଥିବା ଅଭିଯୋଗ ହୋଇଛି । ଏଣୁ ସିବିଏସଇ ପରୀକ୍ଷାର ପୁନଃମୂଲ୍ୟାୟନ କରାଯାଉ ବୋଲି ସମଗ୍ର ଦେଶରେ ୧,୨୭,୧୪୬ଟି ଆବେଦନ ହୋଇଛି ।
ଏହି ଆବଦେନରେ ସ୍କାନ କରାଯାଇଥିବା ୩,୮୭,୩୯୯ଟି ଉତର ଖାତାର ପୁନଃଯାଂଚ ପାଇଁ ଛାତ୍ରଛାତ୍ରୀ ନିବେଦନ କରିଛନ୍ତି ।
ଏଥିସହ ଆବେଦନକାରୀ ଏନଏସୟୁଆଇ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଦାୟର ଆବେଦନରେ ଏହି ସମଗ୍ର ସମସ୍ୟାର ଏକ ସ୍ୱାଧୀନ ତଦନ୍ତ କମିଟି ଦ୍ୱାରା ଯାଂଚ ଏବଂ ପ୍ରଭାବିତ ପରୀକ୍ଷାର୍ଥୀଙ୍କ ପାଇଁ ମାନୁଆଲ ପୁନଃମୂଲ୍ୟାୟନ କରିବାକୁ ଦାବି କରାଯାାଇଛି ।
ଅନ୍ୟପଟେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂତନ ଅନ୍-ସ୍କ୍ରିନ ମାର୍କିଂ ବ୍ୟବସ୍ଥାରେ କିଛି ତ୍ରୁଟି ରହିଯାଇଥିବା ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱୀକାର କରିଛନ୍ତି ।