ପଖାଳ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ
ଶୁକ୍ରବାର ସମଗ୍ର ରାଜ୍ୟରେ ପାଖଳ ଦିବସ ପାଳନ କରାଯାଉଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି ।
ଆଜି ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ପାନ୍ଥନିବାସରେ ରାଜ୍ୟସ୍ତରୀୟ ପଖାଳ ପରବ କାର୍ଯ୍ୟକ୍ରମ ପାଳିତ ହୋଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ । ସେ କହିଥିଲେ ଯେ ପଖାଳକୁ କେବଳ ଏକ ଆହାର ଭାବେ ନୁହେଁ, ଏହା ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ ଅଙ୍ଗ । ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଆ ଖାଦ୍ୟକୁ ବିଶ୍ୱ ଦରବାରରେ ପହଂଚାଇବା । ସେ ନିଜ ପିଲାଦିନ ସହିତ ପଖାଳର ସମ୍ପର୍କ ପ୍ରସଙ୍ଗରେ ବିଭିନ୍ନ ବିଷୟ ଉପସ୍ଥାପନ କରିଥିଲେ ।
ସେ ଆହୁରି କହିଥିଲେ ଯେ ବିଶ୍ୱ ପଖାଳ ଦିବସ ଆଜି କେବଳ ଓଡ଼ିଶାରେ ନୁହେଁ, ସମଗ୍ର ବିଶ୍ୱରେ ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ରହୁଥିବା ଓଡ଼ିଆ ଭାଷାଭାଷୀମାନେ ଏହି ଦିନକୁ ଗର୍ବର ସହ ପାଳନ କରୁଛନ୍ତି । ଯାହାକି ଓଡ଼ିଆ ଜାତି ପାଇଁ ଗର୍ବର ବିଷୟ ହୋଇଛି । ଏହି ପରବ ପାଳନ ଅବସରରେ ସେ ବିଶ୍ୱର ସମଗ୍ର ଚାଷୀ ସମାଜକୁ କୃତଜ୍ଞତା ଜଣାଇବା ସହ ଯୁବ ପିଢ଼ୀଙ୍କୁ ଓଡ଼ିଆ ପରମ୍ପରାର ମୂଲ୍ୟ ବୁଝିବାକୁ ଅନୁରୋଧ କରିଥିଲେ ।
ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମାଲେସିଆ, ଇଣ୍ଡୋନେସିଆ, ସିଙ୍ଗାପୁର, ବାହାରିନ ଭଳି ୧୫ଟି ରାଜ୍ୟରୁ ଦୃଶ୍ୟସଂଚାରୀ ମାଧ୍ୟମରେ ଯୋଡ଼ି ହୋଇଥିବା ଓଡ଼ିଆ ଭାଷାଭାଷୀଙ୍କ ସହ କଥା ହୋଇଥିଲେ । ବିଶ୍ୱସ୍ତର ଏବଂ ରାଷ୍ଟ୍ରୀୟ ସ୍ତରରେ ଓଡ଼ିଆ ଖାଦ୍ୟର ପ୍ରଚାର ଓ ପ୍ରସାର କରୁଥିବା ସେଫ୍ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଦିତ କରିଥିଲେ ।
ବିଶେଷ କରି ଗିନିଜ ବୁକ୍ ଅଫ୍ ୱାଲର୍ଡ ରେକର୍ଡ଼ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୮୫୦କିଲୋଗ୍ରାମ ଚାଉଳରେ ପ୍ରସ୍ତୁତ ୧୧୭୭ କିଲୋଗ୍ରାମ ପଖାଳ ସମସ୍ତଙ୍କୁ ଆକର୍ଷିତ କରିଥିଲା । ୨ହଜାରରୁ ଊର୍ଦ୍ଧ ଜନସାଧାରଣଙ୍କୁ ବଂଟନ କରାଯାଇଥିଲା । ପ୍ରାୟ ୩୨୬ ପ୍ରକାର ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତି ହୋଇଥିଲା, ଯାହାକୁ ସାଧାରଣରେ ପ୍ରଶଂସା ପାଇଥିଲା ।
କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ, ରାଜ୍ୟସଭା ସାଂସଦ ମନମୋହନ ସାମଲ, ବିଧାୟକ ବାବୁ ସିଂହ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ମଂଚାସୀନ ଥିଲେ । ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ ।