କାନାଡ଼ା ଗଲେ ବାଣିଜ୍ୟ ମନ୍ତ୍ରୀ
କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟେଲ ଶନିବାର କାନାଡ଼ା ଗସ୍ତ କରିଛନ୍ତି ।
ତାଙ୍କ ସହ ପ୍ରାୟ ଦେଢ଼ଶହଜଣ ବ୍ୟବସାୟ ପ୍ରତିନିଧି ଗସ୍ତରେ ସାମିଲ ରହିଛନ୍ତି ।
୨୫ତାରିଖରେ ଅଟାୱାରେ ଏବଂ ୨୬ ଓ ୨୭ତାରିଖରେ ଟରଂଟୋରେ ତାଙ୍କର ଆଲୋଚନା କାର୍ଯ୍ୟକ୍ରମ ରହିଛି । କାନାଡ଼ା ଗସ୍ତ ପୂର୍ବରୁ ସେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ଏବଂ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ରାଜିନାମାକୁ ନେଇ ଦୃଢ଼ ଆଶା ପୋଷଣ କରିଛନ୍ତି । ଗତ ମାର୍ଚରେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ଭାରତ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମାର ସର୍ତାବଳୀ ସ୍ୱାକ୍ଷର ହୋଇଥିଲା ।
ସେହି ମାସରେ ଦୁଇ ଦେଶ ମଧ୍ୟରେ ଦୃଶ୍ୟସଂଚାରୀ ଜରିଆରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଥିଲା । ଏହା ପରେ ଚଳିତ ମାସ ୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ଚଳିତବର୍ଷ ମୁକ୍ତ ବାଣିଜ୍ୟ ରାଜିନାମା ଶେଷ କରିବା ପାଇଁ ଉଭୟ ପକ୍ଷ କାର୍ଯ୍ୟ କରୁଛନ୍ତି ।
୨୦୩୦ ମସିହା ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୪.୬୫ ଲକ୍ଷ କୋଟି ଟଙ୍କାରେ ପହଂଚାଇବା ଲକ୍ଷ୍ୟ ରଖାଯାଇଛି ।
ଭାରତରେ କାନାଡ଼ା ୧୦୦ ବିଲିୟନ ଡଲାର ନିବେଶ କରିଛି । କାନାଡ଼ାର ୬୦୦ କମ୍ପାନୀ ଭାରତରେ କାର୍ଯ୍ୟ କରୁଛନ୍ତି ।
ଭାରତ ସହ ମୁକ୍ତ ବାଣିଜ୍ୟ ରାଜିନାମା ନେଇ କାନାଡ଼ାରେ ଯଥେଷ୍ଟ ଆଗ୍ରହ ଓ ଉତ୍ସାହ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋୟଲ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଓ ବହିର୍ବାଣିଜ୍ୟ ମନ୍ତ୍ରୀ ମନିନ୍ଦର ସିନ୍ଧୁଙ୍କୁ ଭେଟିବା ଆଦି କାର୍ଯ୍ୟକ୍ରମ ରହିଛି ।